ଗଞ୍ଜାମ: ଓଡ଼ିଶାରେ ବନ୍ୟା ଓ ବାତ୍ୟା ରାହତ ବଣ୍ଟନକୁ ନେଇ ରାଜନୈତିକ ଉତ୍ତେଜନା କ୍ରମଶଃ ବୃଦ୍ଧି ପାଉଛି। ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ କିଶୋର ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CDO) ତଥା ଆଇଏଏସ୍ ଅଧିକାରୀ ସମୀର ଜେନାଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ବିଜୁ ଜନତା ଦଳ (BJD) ପକ୍ଷରୁ ଆସକା ବିଧାୟକ ସରୋଜ ପାଢ଼ୀଙ୍କ ବିରୋଧରେ ପୋଲିସରେ ଏତଲା ଦିଆଯାଇଛି।
ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆସକା ଥାନାରେ ପହଞ୍ଚି ଏହି ଲିଖିତ ଅଭିଯୋଗ ଦାଖଲ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଗତବୁଧବାର ସନ୍ଧ୍ୟାରେ ରାହତ ସାମଗ୍ରୀ ଯୋଗାଣ ଓ ବଣ୍ଟନକୁ ନେଇ ସିଡିଓ (CDO) ସମୀର ଜେନା ଏବଂ ବିଧାୟକ ସରୋଜ ପାଢ଼ୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ବିଧାୟକ ଜଣକ ସରକାରୀ ଅଧିକାରୀଙ୍କ ପ୍ରତି ଅଭଦ୍ର ଭାଷା ପ୍ରୟୋଗ କରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।
ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବାତ୍ୟା ଓ ବନ୍ୟା ପ୍ରଭାବିତଙ୍କ ପାଇଁ ଆସିଥିବା ସରକାରୀ ରାହତ ସାମଗ୍ରୀକୁ ମନଇଚ୍ଛା ବ୍ୟବହାର ଏବଂ ହେରଫେର କରିବା ପାଇଁ ଏକ ବଡ଼ଧରଣର ସୂଚିତ ଷଡ଼ଯନ୍ତ୍ର କରାଯାଉଥିଲା।
କର୍ତ୍ତବ୍ୟରତ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଧମକଚମକ ଦେବା ଏବଂ ଗୁଣ୍ଡାଗର୍ତି କରିବା ଅଭିଯୋଗରେ ଦଳ ପକ୍ଷରୁ ନିରପେକ୍ଷ ତଦନ୍ତ ସହ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ରାଜନୈତିକ ତାତି ବୃଦ୍ଧି ପାଇଥିବାବେଳେ ପ୍ରଶାସନିକ ସ୍ତରରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି।




