ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଗିଡ଼ିପାବଲି ଗ୍ରାମରେ ଘଟିଥିବା ମର୍ମନ୍ତୁଦ ଭୂସ୍କଳନ ଘଟଣାରେ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି। ପ୍ରତିକୂଳ ପାଗ ଯୋଗୁଁ ଗୋଟିଏ ଦିନ ସ୍ଥଗିତ ରହିବା ପରେ ଗୁରୁବାର ପୁନର୍ବାର ଆରମ୍ଭ ହୋଇଥିବା ଉଦ୍ଧାର ଅଭିଯାନ ସମୟରେ ମାଟିତଳୁ ଆଉ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।
୮୦ ଜଣିଆ ବିଶେଷଜ୍ଞ ଉଦ୍ଧାରକାରୀ ଦଳ ଭୂସ୍କଳନ ସ୍ଥଳରେ ସଘନ ଖୋଜାଖୋଜି ଚଳାଇ ଜଣେ ମହିଳା ଓ ଦୁଇ ଜଣ ନାବାଳକଙ୍କ ମୃତଦେହ ବାହାର କରିଛନ୍ତି। ମୃତକମାନେ ହେଲେ ଭୂମିକା ପ୍ରଧାନ, ଅରୁଣ ପ୍ରଧାନ ଏବଂ ଆଉ ଜଣେ ଶିଶୁ। ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ର ଘଟଣାସ୍ଥଳରେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ଉଦ୍ଧାର କାର୍ଯ୍ୟର ସମୀକ୍ଷା ଓ ତଦାରଖ କରୁଛନ୍ତି।
ସୂଚନାଯୋଗ୍ୟ ଯେ, ବାତ୍ୟା ଓ ମୁଷଳଧାରା ବର୍ଷା ଯୋଗୁଁ ଘଟିଥିବା ଏହି ଭୂସ୍କଳନ ଗିଡ଼ିପାବଲି ଗାଁକୁ ସମ୍ପୂର୍ଣ୍ଣ ଛାରଖାର କରିଦେଇଛି। ପ୍ରଥମେ ୨ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଥିବା ବେଳେ ୧୩ ଜଣ ନିଖୋଜ ଥିବା ନେଇ ସୂଚନା ମିଳିଥିଲା। ବର୍ତ୍ତମାନ ସୁଦ୍ଧା ମୋଟ ୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ବାକି ନିଖୋଜଙ୍କୁ ଖୋଜିବା ପାଇଁ ତଲାସି ଅଭିଯାନ ଜାରି ରହିଛି।
ଏହି ଦୁଃଖଦ ଅଘଟଣ ପରେ ଓଡ଼ିଶା ସରକାର ଏକ ବଡ଼ ଧରଣର ପୁନର୍ବାସ ଯୋଜନା ପ୍ରସ୍ତୁତ କରୁଛନ୍ତି। ରାଜ୍ୟର ଅତ୍ୟନ୍ତ ସଂବେଦନଶୀଳ ତଥା ବିପଜ୍ଜନକ ପାହାଡ଼ିଆ ଅଞ୍ଚଳ ଏବଂ ପାହାଡ଼ ପାଦଦେଶରେ ବସବାସ କରୁଥିବା ଗ୍ରାମବାସୀଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯିବ। ଭବିଷ୍ୟତରେ ଏପରି ପ୍ରାକୃତିକ ବିପର୍ଯ୍ୟୟରୁ ଧନଜୀବନ ସୁରକ୍ଷା ପାଇଁ ଏହିସବୁ ଗ୍ରାମବାସୀଙ୍କୁ ଅନ୍ୟତ୍ର ସ୍ଥାୟୀ ଭାବେ ପୁନର୍ବାସ ଯୋଗାଇ ଦେବାକୁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନିଆଯାଉଛି।




