ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପୁଣିଥରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶିଶୁପାଳଗଡ଼ ଗୁଳିକାଣ୍ଡର ମାତ୍ର ଗୋଟିଏ ଦିନ ପରେ ଶୁକ୍ରବାର ଦିନ ଦ୍ୱିପ୍ରହରରେ ଭୁବନେଶ୍ୱରରେ ଆଉ ଏକ ଜଘନ୍ୟ ଗୁଳିକାଣ୍ଡ ଘଟିଛି। ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୋମିଖାଲ ଓଭରବ୍ରିଜ୍ ଉପରେ ଜଣେ ଯୁବକଙ୍କୁ ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ଗୁଳି କରି ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ହଳଦୀପଡ଼ିଆ ଅଞ୍ଚଳର ସୋନୁ ନାୟକ ବୋଲି ସୂଚନା ମିଳିଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ୩ଟା ସମୟରେ ସୋନୁ ନିଜର ୪ ଜଣ ସାଙ୍ଗଙ୍କ ସହ ଗାଡ଼ିରେ ତେଲ ପକାଇବା ପାଇଁ ରସୁଲଗଡ଼ ପେଟ୍ରୋଲ ପମ୍ପ ଆଡ଼କୁ ଯାଉଥିଲେ। ଏହି ସମୟରେ ବୋମିଖାଲ ଓଭରବ୍ରିଜ୍ ଉପରେ କିଛି ଅଜଣା ଦୁର୍ବୃତ୍ତ ତାଙ୍କ ଗାଡ଼ିକୁ ଅଟକାଇଥିଲେ। କିଛି ବୁଝିବା ପୂର୍ବରୁ ଅତି ନିକଟରୁ ସୋନୁଙ୍କ ମୁଣ୍ଡକୁ ଗୁଳି ଚଳାଇଥିଲେ। ଗୁଳି ବାଜିବା କ୍ଷଣି ସୋନୁ ସେଠାରେ ଟଳି ପଡ଼ିଥିଲେ। ଅପରାଧ ଘଟାଇବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ତୁରନ୍ତ ଫେରାର ହୋଇଯାଇଥିଲେ।
ପ୍ରାଥମିକ ତଦନ୍ତରୁ ଏହି ହତ୍ୟାକାଣ୍ଡ ପଛରେ ପାରିବାରିକ ବିବାଦ ରହିଥିବା ପୋଲିସ ସନ୍ଦେହ କରୁଛି। ସୋନୁଙ୍କ ଶାଳକ ଏହି ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ ଚକ୍ରାନ୍ତ ରଚି ତାହାକୁ କାର୍ଯ୍ୟକାରୀ କରିଥିବା ପୋଲିସ ପୂର୍ବାନୁମାନ କରୁଛି।
ଘଟଣାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ପୋଲିସ କମିଶନର ଏବଂ ଡିସିପି ନିଜେ ଅପରାଧ ସ୍ଥଳ ପରିଦର୍ଶନ କରି ତଦନ୍ତର ସମୀକ୍ଷା କରିଛନ୍ତି। ଏହାସହ ଜୋନାଲ ଏସିପି ଏବଂ ସ୍ପେଶାଲ ସ୍କ୍ୱାଡ୍ର ଅଧିକାରୀମାନେ ଘଟଣାର ବିଭିନ୍ନ ଦିଗକୁ ନେଇ ଖୋଳତାଡ଼ ଆରମ୍ଭ କରିଛନ୍ତି।
ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ପ୍ରକ୍ରିୟାକୁ ତୀବ୍ର କରିଛି। ଏହି ଘଟଣାରେ ସମ୍ପୃକ୍ତି ସନ୍ଦେହରେ ଦୁଇ ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇ ଜେରା କରାଯାଉଛି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।




