ପୁରୀ: ଦୀପାବଳି ଉତ୍ସବ ପାଳନ ସମୟରେ ପୁରୀ ସହରରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ବାଣ ଫୁଟୁଥିବା ବେଳେ ହଠାତ୍ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହେବାରୁ ୧୦ ଜଣଙ୍କୁ ଅଧିକ ଲୋକ ଆହତ ହୋଇଛନ୍ତି। ଏଥିମଧ୍ୟରୁ ୭ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ପୁରୀ ବଳିଆପାଣ୍ଡା ଥାନା ଅନ୍ତର୍ଗତ ମଦନ ଭିଲ୍ଲା ପଛପାଖରେ ଥିବା ଦିଲୀପ ସିଂହଙ୍କୁ ଘରେ ଏହି ବିପର୍ଯ୍ୟୟ ଘଟିଛି। ଦୀପାବଳିରେ ବାଣ ଫୁଟାଯାଉଥିବା ସମୟରେ ଦୀପର ନିଆଁ ଲାଗି ଗ୍ୟାସ୍ ସିଲିଣ୍ଡରରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ଘରେ ଥିବା ଲୋକେ ଏବଂ ଆଖପାଖର କିଛି ବ୍ୟକ୍ତି ଗୁରୁତର ଭାବେ ପୋଡ଼ି ହୋଇଯାଇଥିଲେ।
ଦୁର୍ଘଟଣା ପରେ ସମସ୍ତ ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH)ରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଅବସ୍ଥା ଗୁରୁତର ହେବାରୁ ସଞ୍ଜୀବ ସରକାର ନାମକ ଜଣେ ବ୍ୟକ୍ତିଙ୍କୁ କଟକସ୍ଥିତ ଏସସିବି (SCB) ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।
ଅନ୍ୟ ଗୁରୁତର ଆହତମାନେ ହେଲେ ସରସ୍ୱତୀ ଦେବନାଥ, ଲୋକନାଥ ବିଶ୍ୱାସ, ଅନୁକୁଳ ବିଶ୍ୱାସ, ଦିଲୀପ ସିଂହ, ତ୍ରିନାଥ ରେଡ୍ଡୀ ଏବଂ ଜଗନ୍ନାଥ ବାଳିଆସିଂହ। ଘଟଣା ସମ୍ବାଦ ପାଇବା ପରେ ବଳିଆପାଣ୍ଡା ଓ କୁମ୍ଭାରପଡ଼ା ଥାନା ପୋଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୀପାବଳି ଦିନ ଏଭଳି ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।




