ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପୁଣି ଏକ ବାଘର ମୃତ୍ୟୁ ଘଟିଛି। ପ୍ରାଣୀ ଉଦ୍ୟାନର ଅନ୍ୟତମ ପ୍ରମୁଖ ତଥା ପ୍ରାୟ ୧୬ ବର୍ଷ ବୟସ୍କ ଅଣ୍ଡିରା ବାଘ ‘ସୈଫ୍’ ଶୁକ୍ରବାର ଶେଷ ନିଶ୍ୱାସ ତ୍ୟାଗ କରିଛି। ସୈଫ୍‌ର ମୃତ୍ୟୁ ପରେ ନନ୍ଦନକାନନରେ ମୋଟ ବାଘ ସଂଖ୍ୟା ହ୍ରାସ ପାଇ ୨୫ରେ ପହଞ୍ଚିଛି।

ପ୍ରାଣୀ ଉଦ୍ୟାନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନନ୍ଦନକାନନର ୩୧-ଡି (31-D) ଏନକ୍ଲୋଜରରେ ରହୁଥିବା ସୈଫ୍ ଗତ ନଭେମ୍ବର ୧୮ ତାରିଖରୁ ଖାଦ୍ୟ ଗ୍ରହଣ କମାଇ ଦେଇଥିଲା। ଏନେଇ ପ୍ରାଣୀ ଚିକିତ୍ସକମାନେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସେ ଲିଭର (ଯକୃତ) ଜନିତ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା।

ଏହାପରେ ଡାକ୍ତରୀ ଟିମ୍ ପକ୍ଷରୁ ତୁରନ୍ତ ତାର ଚିକିତ୍ସା ଆରମ୍ଭ କରାଯାଇଥିଲା। ନିରନ୍ତର ଡାକ୍ତରୀ ସେବା ଏବଂ ସମସ୍ତ ପ୍ରକାର ପ୍ରୟାସ ସତ୍ତ୍ୱେ ସୈଫ୍‌ର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା। ବରଂ ଦିନକୁ ଦିନ ତାର ଅବସ୍ଥା ଅଧିକ ଗୁରୁତର ହେବାରେ ଲାଗିଥିଲା ଏବଂ ଶେଷରେ ନଭେମ୍ବର ୨୭ ତାରିଖରେ ତାର ମୃତ୍ୟୁ ଘଟିଥିଲା।

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘମାନଙ୍କ ବଂଶବୃଦ୍ଧି କ୍ଷେତ୍ରରେ ସୈଫ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା। ସେ ତିନୋଟି ବାଘୁଣୀ ବିଜୟା, ଅଙ୍କିତା ଏବଂ ସ୍ନେହାଙ୍କ ସହ ଚାରୋଟି ପର୍ଯ୍ୟାୟରେ ମିଳନରୁ ମୋଟ ୮ଟି ଶାବକଙ୍କୁ ଜନ୍ମ ଦେଇଥିଲା। ସୂଚନାଯୋଗ୍ୟ ଯେ, ସୈଫ୍ ୨୦୧୬ ମସିହାରେ ହାଇଦ୍ରାବାଦରୁ ନନ୍ଦନକାନନକୁ ଆସିଥିଲା, ସେତେବେଳେ ତାକୁ ପ୍ରାୟ ୬ ବର୍ଷ ବୟସ ହୋଇଥିଲା।

ସୈଫ୍‌ର ମୃତ୍ୟୁ ପରେ ବର୍ତ୍ତମାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମୋଟ ୨୫ଟି ବାଘ ରହିଛନ୍ତି। ସେମାନଙ୍କ ମଧ୍ୟରେ ୧୬ଟି ସାଧାରଣ ରଙ୍ଗର ବାଘ, ୫ଟି ଧଳା ବାଘ ଏବଂ ୪ଟି କଳା ରଙ୍ଗର ମେଲାନିଷ୍ଟିକ୍ ବାଘ ରହିଥିବା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।