ଭୁବନେଶ୍ୱର: ରାଜ୍ୟର ଅଙ୍ଗନବାଡି କର୍ମୀ ଓ ସହାୟିକାମାନଙ୍କ କଲ୍ୟାଣ ଏବଂ ଆର୍ଥିକ ସୁରକ୍ଷାକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାର ସେମାନଙ୍କ ମାସିକ ପାରିଶ୍ରମିକ, ଅନୁକମ୍ପାମୂଳକ ସହାୟତା ଏବଂ ଅବସରକାଳୀନ ଆର୍ଥିକ ସହାୟତାରେ ବ୍ୟାପକ ବୃଦ୍ଧି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ କ୍ରମେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଘୋଷଣା କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ପରେ ରାଜ୍ୟବ୍ୟାପୀ ଆନ୍ଦୋଳନରତ ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ସେମାନଙ୍କ ଆନ୍ଦୋଳନ ପ୍ରତ୍ୟାହାର କରିନେଇଛନ୍ତି।

ସଂଶୋଧିତ ନିଷ୍ପତ୍ତି ଅନୁଯାୟୀ, ଅଙ୍ଗନବାଡି କର୍ମୀମାନଙ୍କ ମାସିକ ପାରିଶ୍ରମିକ ୧୦,୦୦୦ ଟଙ୍କାରୁ ୧୨,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଅଙ୍ଗନବାଡି ସହାୟିକାମାନଙ୍କ ମାସିକ ପାରିଶ୍ରମିକ ୫,୦୦୦ ଟଙ୍କାରୁ ୬,୦୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏହାସହ ଉଭୟ ଅଙ୍ଗନବାଡି କର୍ମୀ ଓ ସହାୟିକାମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶିକୁ ଦୁଇଗୁଣ କରାଯାଇ ୨ ଲକ୍ଷ ଟଙ୍କାରୁ ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

ଅନ୍ୟପକ୍ଷରେ ‘ଏକଜିଟ୍ ପଲିସି’ ଅଧୀନରେ ଅବସରକାଳୀନ ଆର୍ଥିକ ସହାୟତାକୁ ତିନିଗୁଣ ବୃଦ୍ଧି କରାଯାଇଛି। ପୂର୍ବରୁ ଅଙ୍ଗନବାଡି କର୍ମୀଙ୍କୁ ୧ ଲକ୍ଷ ଟଙ୍କା ମିଳୁଥିବା ବେଳେ ଏବେ ୩ ଲକ୍ଷ ଟଙ୍କା ମିଳିବ। ସେହିଭଳି ସହାୟିକାମାନଙ୍କ ସହାୟତା ରାଶି ୫୦,୦୦୦ ଟଙ୍କାରୁ ବୃଦ୍ଧି ପାଇ ୧.୫ ଲକ୍ଷ ଟଙ୍କା ହୋଇଛି।

ଏହି ବର୍ଦ୍ଧିତ ସୁବିଧା ବ୍ୟତୀତ ବିଭିନ୍ନ ସରକାରୀ ଯୋଜନା ଅଧୀନରେ ମିଳୁଥିବା ବାର୍ଷିକ ପ୍ରୋତ୍ସାହନ ରାଶି ପୂର୍ବଭଳି ଜାରି ରହିବ। ଅଙ୍ଗନବାଡି କର୍ମୀମାନଙ୍କୁ ବାର୍ଷିକ ମୋଟ ୧୮,୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ, ଯେଉଁଥିରେ ପୋଷଣ ଅଭିଯାନରେ ୬,୦୦୦ ଟଙ୍କା, ମମତା-PMMVY ଅଧୀନରେ ହାରାହାରି ୨,୦୦୦ ଟଙ୍କା ଏବଂ ‘ସୁଭଦ୍ରା’ ଯୋଜନାରେ ୧୦,୦୦୦ ଟଙ୍କା ଅନ୍ତର୍ଭୁକ୍ତ। ସେହିପରି ସହାୟିକାମାନଙ୍କୁ ବାର୍ଷିକ ମୋଟ ୧୪,୨୦୦ ଟଙ୍କା (ପୋଷଣ ଅଭିଯାନରେ ୩,୦୦୦ ଟଙ୍କା, ମମତା-PMMVYରେ ୧,୨୦୦ ଟଙ୍କା ଏବଂ ସୁଭଦ୍ରାରେ ୧୦,୦୦୦ ଟଙ୍କା) ପ୍ରଦାନ କରାଯିବ।

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ଏହି ଘୋଷଣା କରାଯାଇଛି। ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମୁଖ୍ୟ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡି.କେ. ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଶାଶ୍ୱତ ମିଶ୍ର, ଅର୍ଥ ସଚିବ ସଞ୍ଜୀବ ମିଶ୍ର, ମହିଳା ଓ ଶିଶୁ ବିକାଶ ବିଭାଗ କମିଶନର-ତଥା-ସଚିବ ମୃଣାଳିନୀ ଦର୍ଶୱାଲ ଏବଂ ବିଭାଗୀୟ ସଚିବ ମନିଷା ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପଦକ୍ଷେପ ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ମନୋବଳ ବଢ଼ାଇବା ସହ ଏକ ସୁସ୍ଥ ଓ ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।