ନୂଆଦିଲ୍ଲୀ: ପ୍ରସ୍ତାବିତ ‘ସୀମା ନିର୍ଦ୍ଧାରଣ ବିଲ୍ (Delimitation Bill), ୨୦୨୬’ରେ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ସାମିଲ କରାଯାଇଛି। ଏକ ରିପୋର୍ଟ ଅନୁଯାୟୀ, ଏହି ବିଲ୍‌ରେ ଥିବା ପ୍ରାବଧାନ ମୁତାବକ ପାକିସ୍ତାନ ଅଧିକୃତ କାଶ୍ମୀର (PoK) ଅଞ୍ଚଳ ପାକିସ୍ତାନ କବଳରୁ ମୁକ୍ତ ହେବା ମାତ୍ରେ ଭାରତୀୟ ନିର୍ବାଚନ ଆୟୋଗ ସେଠାରେ ବିଧାନସଭା ନିର୍ବାଚନମଣ୍ଡଳୀଗୁଡ଼ିକର ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ କରିପାରିବେ। ଆସନ୍ତା ସୋମବାର ସଂସଦରେ କେନ୍ଦ୍ର ସରକାର ଏହି ଗୁରୁତ୍ୱପୂର୍ଣ୍ଣ ବିଧେୟକ ଆଗତ କରିବାକୁ ଯୋଜନା କରୁଛନ୍ତି।

ପ୍ରସ୍ତାବିତ ବିଲ୍‌ର ଏକ ଧାରା ଅନୁଯାୟୀ, କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀର ବିଧାନସଭା ଅଧୀନରେ ଥିବା ଯେଉଁ ଅଞ୍ଚଳଗୁଡ଼ିକ ବର୍ତ୍ତମାନ ପାକିସ୍ତାନର ଅବୈଧ ଦଖଲରେ ରହିଛି, ସେଗୁଡ଼ିକ ଦଖଲମୁକ୍ତ ହେବା ମାତ୍ରେ ନିର୍ବାଚନ ଆୟୋଗ ସେଠାରେ ନିର୍ବାଚନମଣ୍ଡଳୀ ପୁନର୍ଗଠନ କାର୍ଯ୍ୟ ସୁଗମ କରିପାରିବେ। ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ, ଜମ୍ମୁ-କାଶ୍ମୀର ବିଧାନସଭାରେ ମୋଟ ୯୦ଟି ନିର୍ବାଚିତ ଆସନ ଥିବା ବେଳେ ପାକ୍ ଅଧିକୃତ କାଶ୍ମୀର ପାଇଁ ଉଦ୍ଦିଷ୍ଟ ୨୪ଟି ଆସନ ଖାଲି ରହିଆସୁଛି। ଭବିଷ୍ୟତରେ ଏହି ଅଞ୍ଚଳଗୁଡ଼ିକ ପାକିସ୍ତାନ କବଳରୁ ମୁକ୍ତ ହେଲେ ସେଠାରେ ସୀମା ନିର୍ଦ୍ଧାରଣ ପାଇଁ ଏହି ନୂତନ ଆଇନ ପଥ ପରିଷ୍କାର କରିବ।

ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରିବା ଏବଂ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ଆଗକୁ ନେବା ପାଇଁ କେନ୍ଦ୍ର ସରକାର ବ୍ୟାପକ ଯୋଜନା ପ୍ରସ୍ତୁତ କରିଛନ୍ତି। ଆସନ୍ତା ସପ୍ତାହରେ ବସିବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ‘ସମ୍ବିଧାନ (୧୩୨ତମ ସଂଶୋଧନ) ବିଲ୍, ୨୦୨୬’କୁ ମଞ୍ଜୁରୀ ମିଳିଛି।

ପ୍ରସ୍ତାବିତ ସମ୍ବିଧାନ ସଂଶୋଧନ ଅନୁଯାୟୀ, ଲୋକସଭାର ସର୍ବାଧିକ ସଦସ୍ୟ ସଂଖ୍ୟା ୮୫୦କୁ ବୃଦ୍ଧି କରାଯିବା ସହ ରାଜ୍ୟ ବିଧାନସଭାଗୁଡ଼ିକର ଆସନ ସଂଖ୍ୟାରେ ମୋଟ ୬୫୦ଟି ଆସନ ବୃଦ୍ଧି କରିବାର ବ୍ୟବସ୍ଥା ରହିଛି। ଏହି ବିଲ୍ ମାଧ୍ୟମରେ ସମ୍ବିଧାନର ଧାରା ୩୩୪-କ (Article 334A)ରେ ସଂଶୋଧନ ଅଣାଯିବ, ଯାହା ବିଧାନମଣ୍ଡଳରେ ମହିଳା ସଂରକ୍ଷଣ ସହ ଜଡ଼ିତ। ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବର୍ତ୍ତମାନର ଲୋକସଭା ଏବଂ ବିଧାନସଭା ଆସନ ସଂଖ୍ୟାକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଏଥିରେ ପ୍ରସ୍ତାବ ରହିଛି, ଯାହା ଆଞ୍ଚଳିକ ଦଳଗୁଡ଼ିକର ପ୍ରମୁଖ ଦାବିକୁ ପୂରଣ କରିବ ବୋଲି କୁହାଯାଉଛି।