କୋରାପୁଟ: ଦୀର୍ଘ ଦିନ ଧରି ଲାଗି ରହିଥିବା ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି। ବିବାଦୀୟ କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ଆୟୋଜିତ ପଞ୍ଚାୟତ ନିର୍ବାଚନରୁ ୪ ଜଣ ଓଡ଼ିଆ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଛନ୍ତି। ଆନ୍ଧ୍ର ପୁଲିସର ଚାପ ଏବଂ ଅଟକ ରଖିବା ଅଭିଯୋଗ ମଧ୍ୟରେ ଏହି ପ୍ରାର୍ଥୀମାନେ ନିର୍ବାଚନ ମୈଦାନରୁ ଓହରି ଯାଇଥିବା ଜଣାପଡ଼ିଛି।
ଫାଟୁସେନେରୀ ଅଞ୍ଚଳର ପ୍ରାର୍ଥୀ ବିଶୁ ପାଙ୍ଗୀ ଅଭିଯୋଗ କରିଛନ୍ତି ଯେ, ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ପରେ ଆନ୍ଧ୍ରପ୍ରଦେଶ ପୁଲିସ ତାଙ୍କ ପତ୍ନୀଙ୍କ ସମେତ ୭ ଜଣଙ୍କୁ ସାଲୁର ଥାନାକୁ ନେଇଯାଇଥିଲା। ନାମାଙ୍କନ ପ୍ରତ୍ୟାହାର ପଛରେ ଥିବା ପରିସ୍ଥିତିକୁ ନେଇ ଏହି ଅଭିଯୋଗ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଶୁ ପାଙ୍ଗୀ ଏବଂ ଫଗୁଣସେନେରୀରୁ ନାମାଙ୍କନ ଦାଖଲ କରିଥିବା ତାଙ୍କ ପତ୍ନୀ କୁନେତୀ ଗିଣ୍ଡେଙ୍କ ବ୍ୟତୀତ ଗଞ୍ଜେଇପଦର ଅଞ୍ଚଳର ବର୍ଷା ଚାଡାପଲ୍ଲୀ ଏବଂ କାରା ସୁନ୍ଦରୀ ମଧ୍ୟ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାରୁ ଓହରି ଯାଇଛନ୍ତି। ଏହି ୪ ଜଣଙ୍କ ପ୍ରତ୍ୟାହାର ଫଳରେ ସମ୍ପୃକ୍ତ ଦୁଇଟି ଅଞ୍ଚଳରେ ସରପଞ୍ଚ ପଦବୀ ପାଇଁ ଓଡ଼ିଶା ପକ୍ଷରୁ ଆଉ କୌଣସି ପ୍ରାର୍ଥୀ ରହିନାହାନ୍ତି। ଅନ୍ୟପକ୍ଷରେ, ଏହି ଅଟକ ଅଭିଯୋଗ ସମ୍ପର୍କରେ କୋରାପୁଟ ଜିଲ୍ଲା ପ୍ରଶାସନିକ ଅଧିକାରୀ ଏବଂ ବରିଷ୍ଠ ପୁଲିସ ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ।
ସୂଚନାଯୋଗ୍ୟ ଯେ, କୋଟିଆର ୨୧ଟି ବିବାଦୀୟ ଗ୍ରାମକୁ ନେଇ ଗଠିତ ୩ଟି ପଞ୍ଚାୟତରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ନିର୍ବାଚନ କରାଯାଉଛି, ଯାହା ପାଇଁ ଆସନ୍ତା ଡିସେମ୍ବର ୨ ତାରିଖରେ ମତଦାନ ଅନୁଷ୍ଠିତ ହେବ। ଅନ୍ୟପଟେ, ଡିସେମ୍ବର ୧ ଓ ୨ ତାରିଖରେ କୋଟିଆରେ ଓଡ଼ିଶାର ପାରମ୍ପରିକ ‘ପରବ’ ଉତ୍ସବ ପାଳନ ହେବାକୁ ଥିବାରୁ ରାଜ୍ୟ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଅଞ୍ଚଳରେ ଅତିରିକ୍ତ ପୁଲିସ ବଳ ମୁତୟନ କରାଯିବା ସହ ପୁଲିସ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ ମଧ୍ୟ କରାଯାଇଛି।




