ମିଳିତ ଜାତିସଂଘ: କୁଏତରେ ହୋଇଥିବା ଏକ ଡ୍ରୋନ୍ ଆକ୍ରମଣରେ ଦୁଇ ଜଣ ଇଟାଲୀୟ ନାଗରିକଙ୍କ ମୃତ୍ୟୁ ଘଟଣାକୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ କଡ଼ା ଶବ୍ଦରେ ନିନ୍ଦା କରିଛନ୍ତି। ଏହି ଅଞ୍ଚଳରେ ବଢ଼ୁଥିବା ଉତ୍ତେଜନାକୁ ନେଇ ଗୁଟେରେସ୍ ଗଭୀର ଚିନ୍ତା ପ୍ରକଟ କରିବା ସହ ସମସ୍ତ ପକ୍ଷଙ୍କୁ ସଂଯମତା ଅବଲମ୍ବନ କରିବାକୁ ଆହ୍ୱାନ ଦେଇଛନ୍ତି। ଆଞ୍ଚଳିକ ଶାନ୍ତି ଓ ସୁରକ୍ଷାକୁ ବିପଦରେ ପକାଉଥିବା କିମ୍ବା କୂଟନୈତିକ ପ୍ରୟାସକୁ ବାଧା ଦେଉଥିବା କୌଣସି ପଦକ୍ଷେପରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି।

ମହାସଚିବଙ୍କ ମୁଖପାତ୍ର ଷ୍ଟିଫେନ୍ ଦୁଜାରିକ୍ କହିଛନ୍ତି ଯେ, ଏହି ଅଞ୍ଚଳରେ ପୁନର୍ବାର ହିଂସାକାଣ୍ଡ ବଢ଼ିଲେ ଏହାର ଭୟଙ୍କର ପରିଣାମ ସମଗ୍ର ଅଞ୍ଚଳ ଏବଂ ବିଶ୍ୱକୁ ଭୋଗିବାକୁ ପଡ଼ିବ। ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଆଲୋଚନା ଏବଂ କୂଟନୀତି ହିଁ ଏକମାତ୍ର ଗ୍ରହଣୀୟ ମାର୍ଗ ବୋଲି ଗୁଟେରେସ୍ ପୁନର୍ବାର ଦୋହରାଇଛନ୍ତି। ସୂଚନାଯୋଗ୍ୟ ଯେ, ଗୁରୁବାର ହୋଇଥିବା ଏହି ଡ୍ରୋନ୍ ଆକ୍ରମଣ ପାଇଁ କୁଏତ ସିଧାସଳଖ ଇରାନକୁ ଦାୟୀ କରିଥିବା ବେଳେ ତେହରାନ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛି।

ଏହି ଆକ୍ରମଣରେ ଦୁଇ ଜଣ ଇଟାଲୀୟ ନାଗରିକଙ୍କ ମୃତ୍ୟୁ ଏବଂ ଅନ୍ୟ ଦୁଇ ଜଣ ଆହତ ହେବା ଘଟଣାରେ କୁଏତ ଶୁକ୍ରବାର ଇରାନର ରାଷ୍ଟ୍ରଦୂତ ମହମ୍ମଦ ତୋତୋଞ୍ଚିଙ୍କୁ ସମନ୍ କରି କଡ଼ା ପ୍ରତିବାଦ ଜଣାଇଛି। କୁଏତ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ‘X’ରେ ଜାରି କରାଯାଇଥିବା ବିବୃତ୍ତି ଅନୁଯାୟୀ, ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନକୁ ଲକ୍ଷ୍ୟ କରି କରାଯାଇଥିବା ଆକ୍ରମଣରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କୁଏତ ଉପ-ବୈଦେଶିକ ମନ୍ତ୍ରୀ ହମାଦ ସୁଲେମାନ ଅଲ୍-ମାଶାନ ଏହାକୁ ଦେଶର ସାର୍ବଭୌମତ୍ୱ ଓ ଅନ୍ତର୍ଜାତୀୟ ଆଇନର ଘୋର ଉଲ୍ଲଂଘନ ବୋଲି କହିବା ସହ ଏଥିପାଇଁ ଇରାନକୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି।

କୁଏତ ସେନା ମୁଖପାତ୍ର ସୌଦ ଅବଦୁଲାଜିଜ୍ ଅଲ୍-ଅତୱାନ କହିଛନ୍ତି ଯେ, ଗୁରୁବାର କୁଏତ ବାୟୁସୀମାରେ ଏକାଧିକ ଶତ୍ରୁ ଡ୍ରୋନ୍‌କୁ ପ୍ରତିହତ କରାଯାଇଥିଲା। ତେବେ ଆକ୍ରମଣର ଶିକାର ହୋଇଥିବା ପ୍ରତିଷ୍ଠାନରୁ ଖସିଥିବା ଭଗ୍ନାବଶେଷ ଯୋଗୁଁ ଦୁଇ ଇଟାଲୀୟଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ କୁଏତ ଓ ଜଣେ ପାକିସ୍ତାନୀ ନାଗରିକ ଆହତ ହୋଇଛନ୍ତି। ଅନ୍ୟପଟେ, ଇରାନ ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଆରାଘଚି କୁଏତ ଏବଂ ଇଟାଲୀର ପ୍ରତିପକ୍ଷଙ୍କ ସହ ଫୋନ ଯୋଗେ କଥା ହୋଇ ଏହି ଘଟଣାରେ ଇରାନର କୌଣସି ଭୂମିକା ନଥିବା ସ୍ପଷ୍ଟ କରିଛନ୍ତି। ସେ ମୃତାହତଙ୍କ ପ୍ରତି ସମବେଦନା ଜଣାଇବା ସହ ଆକ୍ରମଣର ଉତ୍ସ ଜାଣିବା ପାଇଁ କୁଏତ ଓ ଇଟାଲୀ ସହ ମିଳିତ ତଦନ୍ତ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି।