ଭୁବନେଶ୍ୱର: ଅଖିଳ ଭାରତ କଂଗ୍ରେସ କମିଟିର (AICC) ବରିଷ୍ଠ ନେତା ଓ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆସନ୍ତାକାଲି ଓଡ଼ିଶା ଆସିବେ। ସେ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜିତ ‘ସମ୍ବିଧାନ ବଞ୍ଚାଓ’ ଶିର୍ଷକ ବିଶାଳ ସମାବେଶରେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ ଓ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ମଧ୍ୟ ଉପସ୍ଥିତ ରହିବେ।
କଂଗ୍ରେସର ଆକ୍ଷେପ ଓ ଅଭିଯୋଗ:
ପିସିସି ସଭାପତି ଭକ୍ତ ଚରଣ ଦାସ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାର ଡ୍ରାଇଭର ଆନ୍ଦୋଳନର ସମାଧାନ କରିପାରି ନଥିବା ଫଳରେ ଗାଡି ଚଳାଚଳ ବନ୍ଦ ହୋଇଛି, ଏବଂ ଏହିଥିରୁ ରାହୁଲଙ୍କ କାର୍ଯ୍ୟକ୍ରମକୁ ବି ଭଣ୍ଡୁର କରିବା ଚେଷ୍ଟା ଚାଲିଛି। ଲୋକଙ୍କ ଦୁଃଖଦୁର୍ଦଶା ଦୂର କରିବା ପାଇଁ ପଦକ୍ଷେପ ନ ନେଇ ଏହି ଆନ୍ଦୋଳନକୁ ଜଣେଇ ଆଉ କଂଗ୍ରେସ କାର୍ଯ୍ୟକ୍ରମ ରୋକିବା ଏକ ଷଡଯନ୍ତ୍ର ବୋଲି କଂଗ୍ରେସ ଆକ୍ଷେପ କରିଛି।
ସରକାର ବିରୋଧରେ ରଣହୁଙ୍କାର:
ଏହି ସମାବେଶରେ ରାହୁଲ ଗାନ୍ଧୀ କୃଷକ, ଦଳିତ, ନାରୀ ନିର୍ଯାତନା ଓ ସାମାଜିକ ନ୍ୟାୟ ସହିତ ରଥଯାତ୍ରା ଅଘଟଣ ଭଳି ମୁଦ୍ଦାକୁ ଉଠାଇ ଡବଲ ଇଂଜିନ ସରକାର ବିରୋଧରେ ତୀବ୍ର ଆକ୍ରୋଶ ଜଣାଇପାରନ୍ତି। ତାଙ୍କ ଗସ୍ତକୁ ସଫଳ କରିବା ପାଇଁ ରାଜ୍ୟ କଂଗ୍ରେସ ଜୋରଦାର ପ୍ରସ୍ତୁତି କରୁଛି।
ପ୍ରସ୍ତୁତି ବ୍ୟାପକ, କିନ୍ତୁ ଚିନ୍ତା ଏକ:
ଡ୍ରାଇଭର ଆନ୍ଦୋଳନ ଯୋଗୁ ଗାଡି ଚଳାଚଳ ବନ୍ଦ ରହିଥିବା ନେଇ ଅନେକ କଂଗ୍ରେସ କର୍ମୀ ସମୟରେ ଅଞ୍ଚଳରୁ ଭୁବନେଶ୍ୱର ପହଞ୍ଚିପାରିବେ କି ନାହିଁ, ସେନେଇ ଆଶଙ୍କା ଦେଖାଦେଉଛି। ଏହିପରି ଅବସ୍ଥାକୁ ନେଇ କଂଗ୍ରେସ ରାଜ୍ୟ ସରକାରଙ୍କୁ ଦାୟୀ କରି ନିର୍ବାଚନ ପୂର୍ବ ରାଜନୈତିକ ଲଢ଼ାଇ ଅଧିକ ତୀବ୍ର କରିଛି।