ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖର ସମ୍ବିଧାନର ଧାରା ୬୭(କ) ଅନୁଯାୟୀ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି। ସେ ଏକ ଚିଠି ମାଧ୍ୟମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିଜ ଇସ୍ତଫା ପତ୍ର ଦାଖଲ କରି ସ୍ୱାସ୍ଥ୍ୟଗତ ଅସୁବିଧାକୁ ମୂଳ କାରଣ ଭାବରେ ଦର୍ଶାଇଛନ୍ତି।
ଧନଖର ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ଡାକ୍ତରଙ୍କ ପରାମର୍ଶ ଓ ନିଜ ସ୍ୱାସ୍ଥ୍ୟ ଲାଗି ଆବଶ୍ୟକ ଯତ୍ନ ଦେଖିବାକୁ ସେ ବାଧ୍ୟ ହୋଇଛନ୍ତି। ତାଙ୍କ କାର୍ଯ୍ୟକାଳ ସମୟରେ ରାଷ୍ଟ୍ରପତିଙ୍କ ସହଯୋଗ ପାଇଁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହା ସହ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ଓ ସାଂସଦମାନଙ୍କ ସମର୍ଥନ ପାଇଁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।
ଧନଖରଙ୍କ ଏହି ଅଚାନକ ପଦତ୍ୟାଗ ସହିତ ଦିଲ୍ଲୀରେ ରାଜନୈତିକ ମହଳରେ ଚର୍ଚ୍ଚା ତିବ୍ର ହୋଇଯାଇଛି। ସେ ୨୦୨୨ ମସିହାରେ ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।





