କଟକ (୨୪.୭): ବେଆଇନ ଖଣି ଲାଞ୍ଚ ମାମଲାରେ ଗିରଫ ହୋଇଥିବା ଇଡିର ବରିଷ୍ଠ ଅଧିକାରୀ ଚିନ୍ତନ ରଘୁବଂଶୀଙ୍କୁ ଓଡ଼ିଶା ହାଇକୋର୍ଟ ଜାମିନ ଦେଇଛି। ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ଦେଇଛନ୍ତି। ହାଇକୋର୍ଟ ନିର୍ଦ୍ଦେଶ ଦେଇଛି ଯେ ଆବେଦନକାରୀ ୧ ଲକ୍ଷ ଟଙ୍କାର ୨ ଜଣ ଜାମିନଦାର ଦେଇ ଜାମିନ ନେବେ ଓ ତାଙ୍କ ପାସପୋର୍ଟ ନିମ୍ନ ଅଦାଲତରେ ଦାଖଲ କରିବେ।
ଆଦାଲତ ସ୍ପଷ୍ଟ କରିଛି, ଚିନ୍ତନ ରଘୁବଂଶୀ ଆଗାମୀ ଦିନରେ ନିମ୍ନ ଅଦାଲତ ଓ ତଦନ୍ତକାରୀ ଅଧିକାରୀଙ୍କୁ ନିଜର ଠିକଣା ଓ ମୋବାଇଲ ନମ୍ବର ଦେବେ, ଏବଂ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବେ। ଜାମିନ ସର୍ତ୍ତ ଉଲ୍ଲଂଘନ କରିଲେ, ନିମ୍ନ ଅଦାଲତ ତାଙ୍କ ଜାମିନ ବାତିଲ କରିପାରିବ।
ଏହି ମାମଲାର ଅନ୍ୟ ଅଭିଯୁକ୍ତ ଭକ୍ତି ବିନୋଦ ବେହେରାଙ୍କୁ ମଧ୍ୟ ସମାନ ସର୍ତ୍ତରେ ହାଇକୋର୍ଟ ଜାମିନ ଦେଇଛି। ଗତ ୨ ଜୁଲାଇରେ ହାଇକୋର୍ଟ ରଘୁବଂଶୀଙ୍କୁ ୧୦ ଦିନର ଅନ୍ତରିମ ଜାମିନ ଦେଇଥିଲା, ଯାହା ଶେଷ ହେବା ପରେ ସେ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିଥିଲେ।
ଏହି ମାମଲା ସଂପର୍କରେ ଜଣାପଡ଼ିଛି ଯେ ଖଣି ଘୋଟାଳାରେ ଲାଞ୍ଚ ଗ୍ରହଣ ସନ୍ଦେହରେ ଭକ୍ତି ବିନୋଦ ବେହେରାଙ୍କୁ ଗିରଫ କରିଥିଲା CBI। ଏହା ସହ ଭୁବନେଶ୍ବରର ଇଡି ଉପନିର୍ଦ୍ଦେଶକ ଥିବା ଚିନ୍ତନ ରଘୁବଂଶୀଙ୍କ ବିରୁଦ୍ଧରେ ମଧ୍ୟ ଅଭିଯୋଗ ରହିଥିବାରୁ CBI ତାଙ୍କୁ ଗିରଫ କରିଥିଲା। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ଦୁଇଜଣେ ହାଇକୋର୍ଟରେ ଜାମିନ ଆବେଦନ ଦାୟର କରିଥିଲେ।





