ଦାରିଙ୍ଗବାଡି, ୭ ଅଗଷ୍ଟ: କନ୍ଧମାଳ ଜିଲ୍ଲାର ବ୍ରାହ୍ମଣୀଗାଁରେ ବିଜେଡି ପକ୍ଷରୁ ଆୟୋଜିତ ବିକ୍ଷୋଭ ଓ ପ୍ରତିବାଦ ଜୁଲୁସ୍‌ରେ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରି ଭାଗ ନେବା ଅଭିଯୋଗ ଉଠିଛି। ଏନେଇ ବ୍ରାହ୍ମଣୀଗାଁ ଭାଜପା ମଣ୍ଡଳ ତରଫରୁ ଥାନାରେ ଲିଖିତ ଅଭିଯୋଗ ଦିଆଯାଇଛି।

ଖବର ଅନୁଯାୟୀ, ବୁଧବାର ଦିନ ବିଜେଡି ଯୁବ ଓ ଛାତ୍ର ଶାଖା ଦ୍ୱାରା ରାଜ୍ୟରେ ମହିଳା ଓ ଛାତ୍ରୀଙ୍କ ଉପରେ ବୃଦ୍ଧି ପାଉଥିବା ଅପରାଧ, ନିର୍ଯାତନା ବିରୋଧରେ ବିକ୍ଷୋଭ କରାଯାଇଥିଲା। ଏଥିରେ ଋଷିମାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଅନୁମତି ବିନା ଅଂଶଗ୍ରହଣ କରାଯାଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ଏହି ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀ, ଶିକ୍ଷା ଓ ଆଇନ ମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରି ବିଜେଡି ପୋଷ୍ଟର ଓ ପ୍ଲାକାର୍ଡ ଧରି ଶୋଭାଯାତ୍ରା କରିଥିଲେ। ଏହି ଘଟଣା ପଛରେ ଉଭୟ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷଙ୍କ ଭୂମିକା ଥିବା ଅଭିଯୋଗ ହୋଇଛି।

ଏନେଇ ବ୍ରାହ୍ମଣୀଗାଁ ଭାଜପା ମଣ୍ଡଳ ସଭାପତି ଗଣେଶ ଡାକୁଆ ନେତୃତ୍ୱରେ ଦଳ ଥାନାରେ ଅଭିଯୋଗ ଦାଖଲ କରି, ଦୁଇ ଅଧ୍ୟକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ବ୍ରାହ୍ମଣୀଗାଁ ଥାନାର ଆଇଆଇସି ବିଜୟ କୁମାର ହାଇବୁରୁଙ୍କୁ ଏହି ଅଭିଯୋଗ ପତ୍ର ହସ୍ତାନ୍ତର କରାଯାଇଛି।

ଅଭିଯୋଗ ସମୟରେ ଅନ୍ୟାନ୍ୟ ବିଶିଷ୍ଟ ଭାଜପା ନେତାମାନେ ଯେପରିକି ସୁକାନ୍ତ ସାହୁ, ଶଙ୍କର ବେହେରା, ବାଳକୃଷ୍ଣ ମହାକୁଡ଼, ତ୍ରିନାଥ ବିଶୋଇ, ଶ୍ୟାମ ମହାକୁଡ଼, ଓ କପିକେଶ୍ୱର ପାତ୍ର ଉପସ୍ଥିତ ଥିଲେ।