ଭୁବନେଶ୍ୱର — ବିହାରରେ ଭୋଟ୍ ଚୋରି ପ୍ରସଙ୍ଗକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC) ରାଜଧାନୀ ଭୁବନେଶ୍ୱରରେ ବିଶାଳ ମଶାଲ ଶୋଭାଯାତ୍ରା ଆୟୋଜନ କରିଲା। ରାଜମହଲ ଛକରୁ ଆରମ୍ଭ ହୋଇ ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଏହି ଯାତ୍ରାରେ କଂଗ୍ରେସ ନେତାମାନେ ଲୋକମାନଙ୍କୁ ଭୋଟ୍ ଚୋରି ସମ୍ପର୍କରେ ସଚେତନ କରିଥିଲେ।
ପିସିସି ସଭାପତି ଭକ୍ତ ଚରଣ ଦାସ କହିଲେ, “ଭୋଟ୍ ଚୋରି ଦ୍ୱାରା ଗଣତନ୍ତ୍ରର ହତ୍ୟା ହେଉଛି। ବିଜେପି ସରକାର ଭୋଟ୍ ଚୋରି କରି ଗାଦି ଦଖଳ କରିଛି।” ସେ କହିଲେ, ବିହାରର 12 କୋଟିରୁ ଅଧିକ ଭୋଟରଙ୍କ ଅଧିକାର ଛିନିନିଆଯାଉଛି ଯାହା ଗୁରୁତର ଅନ୍ୟାୟ।
ଶ୍ରୀ ଦାସ ଆହୁରି କହିଲେ, ବିହାରର ଅନେକ ଲୋକ ଅନ୍ୟ ରାଜ୍ୟରେ କାମ କରୁଛନ୍ତି, କିନ୍ତୁ ସେଥିପାଇଁ ସେମାନଙ୍କୁ ଭୋଟର ତାଲିକାରୁ ହଟାଇବା ଉଚିତ ନୁହେଁ। ସେ ଇଲେକ୍ସନ କମିସନଙ୍କୁ ପ୍ରତ୍ୟେକ ଭୋଟରଙ୍କ ନାଁ ସୁନିଶ୍ଚିତ କରିବାକୁ ଆହ୍ୱାନ କଲେ।
ଏହି ଶୋଭାଯାତ୍ରାରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ଜୟଦେବ ଜେନା ସହ ଜିଲ୍ଲା କଂଗ୍ରେସ କମିଟିର ଅନେକ ସଦସ୍ୟ ଅଂଶଗ୍ରହଣ କରିଥିଲେ।