ଭୁବନେଶ୍ୱର: ଲୋକସେବା ଭବନରେ ଆଜି କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହୋଲ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଥିଲେ। ଏହି ସୁଯୋଗରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ସମବାୟ କ୍ଷେତ୍ରର ଅଗ୍ରଗତି ସହିତ ଆଗାମୀ ପଦକ୍ଷେପ ବିଷୟରେ କେନ୍ଦ୍ର ମନ୍ତ୍ରୀଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ।
ମୁଖ୍ୟମନ୍ତ୍ରୀ ପ୍ୟାକ୍ସ ଋଣ ପରିଶୋଧ ସମୟ ୫ରୁ ୧୦ ବର୍ଷ କରିବା, ବଡମ୍ବା ଓ ବଲାଙ୍ଗୀରର ଚିନିକଳକୁ କାର୍ଯ୍ୟକ୍ଷମ କରିବା, ଗୋପାଳପୁରରେ ଜାତୀୟ ସମବାୟ ବିଶ୍ୱବିଦ୍ୟାଳୟର ସାଟେଲାଇଟ୍ ସେଣ୍ଟର ପ୍ରତିଷ୍ଠା, ପ୍ରତି ଜିଲ୍ଲା ଓ ସବ୍ଡିଭିଜନରେ ଶୀତଳ ଭଣ୍ଡାର ଓ ପଣ୍ୟାଗାର ସ୍ଥାପନ, କୃଷକ ଉତ୍ପାଦକ ସଂଗଠନ ବୃଦ୍ଧି କରିବା, ଏବଂ ନୂତନ ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକୁ ଆର୍ଥିକ ସହାୟତା ଦେବା ପ୍ରସଙ୍ଗରେ ପ୍ରସ୍ତାବ ରଖିଥିଲେ।
କେନ୍ଦ୍ର ମନ୍ତ୍ରୀ ମୋହୋଲ୍ ଓଡ଼ିଶା ସରକାରଙ୍କ ସମବାୟ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ପ୍ରଶଂସା କରି, କେନ୍ଦ୍ର ସରକାର ପକ୍ଷରୁ ସମସ୍ତ ସହାୟତା ଯୋଗାଇଦିଆଯିବ ବୋଲି ନିଶ୍ଚିତ କରିଥିଲେ। ସେ କହିଥିଲେ, କିଛି ରାଜ୍ୟରେ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ ହୋଇଛି ଏବଂ ସମବାୟ କ୍ଷେତ୍ରରେ ଭଲ ଫଳାଫଳ ପାଇଁ ସମସ୍ତଙ୍କୁ ସେଥିରୁ ଶିଖିବା ଉଚିତ।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ସମବାୟ ସଚିବ ରାଜେଶ ପ୍ରଭାକର ପାଟିଲ, ପ୍ରମୁଖ ସଚିବ (ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ) ସୁରେଶ କୁମାର ବଶିଷ୍ଟ, କେନ୍ଦ୍ର ସରକାରଙ୍କ ଯୁଗ୍ମ ସଚିବ ରମଣ କୁମାର, ଆନନ୍ଦ ଝା, ଓମ୍ଫେଡ୍ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।