ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ଗ୍ରାମାଞ୍ଚଳ ଓ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଗରିବ ଓ ଆଦିବାସୀ ପରିବାରଙ୍କ ପାଇଁ କେନ୍ଦୁପତ୍ର ସଂଗ୍ରହ ଏକ ପ୍ରମୁଖ ରୋଜଗାରର ମାଧ୍ୟମ ପାଲଟିଛି। ବିଶେଷକରି ଖରାଦିନରେ ଚାଷ କାମ କମିଯାଉଥିବା ସମୟରେ କେନ୍ଦୁପତ୍ର ସଂଗ୍ରହ ହଜାର ହଜାର ପରିବାରଙ୍କୁ ଆର୍ଥିକ ସହାୟତା ଯୋଗାଉଛି।
ବେସରକାରୀ ତଥ୍ୟ ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲାରେ ପ୍ରାୟ ୫୦ରୁ ୫୫ ହଜାର କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳି ପଞ୍ଜିକୃତ ହୋଇଛନ୍ତି। ସେଥିରୁ ପ୍ରାୟ ୮୫ ପ୍ରତିଶତ ହିତାଧିକାରୀ ମହିଳା ଥିବା ଜଣାପଡ଼ିଛି। ବୁଶ କଟିଂ, ପତ୍ର ସଂଗ୍ରହ, ବିଡ଼ା ବାନ୍ଧିବା ଏବଂ ଖଳାରେ ପ୍ରକ୍ରିୟାକରଣ ପର୍ଯ୍ୟନ୍ତ ବିଭିନ୍ନ କାମରେ ସେମାନେ ସିଧାସଳଖ ନିୟୋଜିତ ରହୁଛନ୍ତି।
ରାଜ୍ୟର ୧୫ଟି ଜିଲ୍ଲାରେ କେନ୍ଦୁପତ୍ର ଉତ୍ପାଦନ ହେଉଥିବା ବେଳେ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ବଲାଙ୍ଗୀର, କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲା ଏହି କ୍ଷେତ୍ରରେ ଅଗ୍ରଣୀ ରହିଛି।
୨୦୨୫ କେନ୍ଦୁପତ୍ର ଶସ୍ୟ ବର୍ଷରେ ଏହି ୮ଟି ଜିଲ୍ଲାରୁ ମୋଟ ୧,୬୦,୮୬୭.୭୭ କ୍ବିଣ୍ଟାଲ କେନ୍ଦୁପତ୍ର ଉତ୍ପାଦିତ ହୋଇଥିବାବେଳେ ସୁନ୍ଦରଗଡ଼ର ଅବଦାନ ୧୬,୦୧୮.୨୦ କ୍ବିଣ୍ଟାଲ ରହିଛି।
ଜିଲ୍ଲାଭିତ୍ତିକ ଉତ୍ପାଦନ ମଧ୍ୟରେ ବଲାଙ୍ଗୀର ସର୍ବାଧିକ ୪୧,୪୨୭.୬୦ କ୍ବିଣ୍ଟାଲ ସହ ଶୀର୍ଷରେ ରହିଥିବାବେଳେ ସମ୍ବଲପୁରରେ ୩୫,୯୨୮.୮୦ କ୍ବିଣ୍ଟାଲ, ବୌଦ୍ଧରେ ୨୦,୧୮୪.୬୦ କ୍ବିଣ୍ଟାଲ, ଦେବଗଡ଼ରେ ୧୨,୬୩୨.୪୦ କ୍ବିଣ୍ଟାଲ, କଳାହାଣ୍ଡିରେ ୧୧,୮୦୮ କ୍ବିଣ୍ଟାଲ, ନୂଆପଡ଼ାରେ ୧୫,୮୦୧.୩୭ କ୍ବିଣ୍ଟାଲ ଏବଂ ଝାରସୁଗୁଡ଼ାରେ ୭,୦୪୭ କ୍ବିଣ୍ଟାଲ ଉତ୍ପାଦନ ହୋଇଛି।
ଉଲ୍ଲେଖଯୋଗ୍ୟ, ଏହି କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ତିନିଟି ବର୍ଗ—ତୋଳାଳି, ବନ୍ଧାଳି ଓ ଋତୁକାଳୀନ ଅସ୍ଥାୟୀ କର୍ମଚାରୀ—ଭାବେ ବିଭକ୍ତ କରାଯାଇଛି। ସଂଗ୍ରହ କେନ୍ଦ୍ର ବା ‘ଫଡ଼ି’ଗୁଡ଼ିକରେ ପତ୍ର ଶୁଖାଇବା, ବାଛିବା ଏବଂ ବାନ୍ଧିବା କାର୍ଯ୍ୟରେ ମଧ୍ୟ ଅନେକ ଲୋକ ନିୟୋଜିତ ରହୁଛନ୍ତି।




