ବେଙ୍ଗାଲୁରୁ: ଭାରତର ସଫଳ ଚନ୍ଦ୍ରଯାନ-୩ ମିଶନ ପୁଣିଥରେ ବିଶ୍ୱ ମହାକାଶ ବିଜ୍ଞାନ ମଞ୍ଚରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ମିଶନର ଶେଷ ପର୍ଯ୍ୟାୟରେ ବିକ୍ରମ ଲ୍ୟାଣ୍ଡର ଦ୍ୱାରା କରାଯାଇଥିବା ‘ହପ୍ ଏକ୍ସପେରିମେଣ୍ଟ’ରୁ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଓ ଚମତ୍କାର ତଥ୍ୟ ମିଳିଛି। ଏହି ଆବିଷ୍କାର ଭବିଷ୍ୟତରେ ଚନ୍ଦ୍ରରେ ମାନବ ବସତି ସ୍ଥାପନ ଓ ଗବେଷଣା ଅଭିଯାନ ପାଇଁ ନୂଆ ଦିଗ ଦେଖାଇପାରେ।

ବିକ୍ରମ ଲ୍ୟାଣ୍ଡର ଦ୍ୱାରା କରାଯାଇଥିବା ଏହି ‘ହପ୍ ଏକ୍ସପେରିମେଣ୍ଟ’ ସମୟରେ ରକେଟ୍ ଥ୍ରଷ୍ଟରର ପ୍ରଭାବରେ ଚନ୍ଦ୍ରପୃଷ୍ଠର ଉପରି ଭାଗର ପ୍ରାୟ ୩ ସେଣ୍ଟିମିଟର ମୋଟା କୋମଳ ମାଟି ସ୍ତର ଉଡ଼ିଯାଇଥିଲା। ଏହାଫଳରେ ଲ୍ୟାଣ୍ଡରରେ ଥିବା ‘ଚାଷ୍ଟେ’ ପେଲୋଡ୍‌କୁ ଭିତର ମାଟିର ଗଠନ ଓ ତାପଗୁଣ ଅନୁଧ୍ୟାନ କରିବାର ସୁଯୋଗ ମିଳିଥିଲା।

ଗବେଷଣାରୁ ଜଣାପଡ଼ିଛି ଯେ, ଚନ୍ଦ୍ରର ଦକ୍ଷିଣ ମେରୁର ମାଟି ସମାନ ନୁହେଁ। ଉପରିଭାଗର ମାଟି ଅତ୍ୟନ୍ତ କୋମଳ ଓ ଛିଦ୍ରଯୁକ୍ତ ଥିବାବେଳେ, କିଛି ସେଣ୍ଟିମିଟର ତଳେ ଥିବା ସ୍ତର ବହୁତ ଶକ୍ତ ଏବଂ ତାହାର ତାପଜ ଓ ଯାନ୍ତ୍ରିକ ଗୁଣ ଭିନ୍ନ ପାଇଯାଇଛି। ଏହି ତଥ୍ୟ ବୈଜ୍ଞାନିକମାନଙ୍କୁ ଆଶ୍ଚର୍ୟଚକିତ କରିଛି।

ଏହା ସହିତ ଚନ୍ଦ୍ରରେ ସୂର୍ଯ୍ୟାସ୍ତ ପରେ ମାଟି କିପରି ଶୀତଳ ହୁଏ ଓ ବିକିରଣ ଛାଡ଼େ, ତାହାର ରିଅଲ୍-ଟାଇମ ତଥ୍ୟ ମଧ୍ୟ ସଂଗ୍ରହ କରାଯାଇଛି। ଏହି ତଥ୍ୟ ଭବିଷ୍ୟତରେ ଚନ୍ଦ୍ରରେ ମାନବ ଅଭିଯାନ ଓ ସ୍ଥାୟୀ ଆଧାର କେନ୍ଦ୍ର ସ୍ଥାପନରେ ଦୂର୍ଦ୍ଦନ୍ତ ଭୂମିକା ନେଇପାରେ।

ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଚନ୍ଦ୍ରର ଦକ୍ଷିଣ ମେରୁର ଅନ୍ଧକାର ଗର୍ତ୍ତଗୁଡ଼ିକରେ ବରଫ ଆକାରରେ ଜଳ ରହିଥିବା ସମ୍ଭାବନା ଅଧିକ। ଏହିକାରଣରୁ ବିଶ୍ୱର ଅନେକ ମହାକାଶ ସଂସ୍ଥା ଏହି ଅଞ୍ଚଳକୁ ନେଇ ଗଭୀର ଗବେଷଣା କରୁଛନ୍ତି। ନାସାର ଆଗାମୀ ‘ଆର୍ଟେମିସ୍’ ମିଶନ ପାଇଁ ମଧ୍ୟ ଚନ୍ଦ୍ରଯାନ-୩ର ଏହି ତଥ୍ୟ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ମନେ କରାଯାଉଛି।

ଉଲ୍ଲେଖଯୋଗ୍ୟ, ୨୦୦୮ରେ ଚନ୍ଦ୍ରଯାନ-୧ ଚନ୍ଦ୍ରରେ ଜଳର ସନ୍ଧାନ କରି ବିଶ୍ୱକୁ ଚମକିଦେଇଥିଲା। ଏବେ ଚନ୍ଦ୍ରଯାନ-୩ର ଏହି ନୂଆ ସଫଳତା ଭାରତୀୟ ମହାକାଶ ବିଜ୍ଞାନକୁ ଆହୁରି ଏକ ପଦକ୍ଷେପ ଆଗକୁ ନେଇଯାଇଛି।