ନୂଆଦିଲ୍ଲୀ: ଦିଲ୍ଲୀର ଐତିହାସିକ ଲାଲକିଲ୍ଲା କୁ ବୋମାରେ ଉଡ଼ାଇ ଦେବାକୁ ମିଳିଥିବା ଏକ ଧମକପୂର୍ଣ୍ଣ କଲ୍ ଶନିବାର ସୁରକ୍ଷା ସଂସ୍ଥାଗୁଡ଼ିକ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ଖବର ପାଇବା ମାତ୍ରେ ପୋଲିସ ଏବଂ ସୁରକ୍ଷା ବାହିନୀ ସମଗ୍ର ସ୍ମାରକୀ ପରିସରରେ ଏକ ବ୍ୟାପକ ସର୍ଚ୍ଚ ଅପରେସନ କରିଥିଲେ । ତେବେ ଦୀର୍ଘ ସମୟର ଯାଞ୍ଚ ପରେ ସେଠାରୁ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନଥିବାରୁ ଏହି ଧମକ ଏକ ଗୁଜବ ବା ମିଛ ବୋଲି ପୋଲିସ ସ୍ପଷ୍ଟ କରିଛି ।
ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମ୍କୁ ଏକ ଅଜଣା ଫୋନ୍ କଲ୍ ଆସିଥିଲା, ଯେଉଁଥିରେ ଜଣେ ବ୍ୟକ୍ତି ଲାଲକିଲ୍ଲାକୁ ବୋମାରେ ଉଡ଼ାଇ ଦେବାକୁ ଦାବି କରିଥିଲେ । ମୁମ୍ବାଇ ପୋଲିସ ତୁରନ୍ତ ଏହି ସୂଚନା ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିଥିଲା, ଯାହା ପରେ ଉତ୍ତର ଜିଲ୍ଲା ପୋଲିସକୁ ଆଲର୍ଟ କରାଯାଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।ଆଲର୍ଟ ମିଳିବା ମାତ୍ରେ ପୋଲିସ କର୍ମଚାରୀ, ବୋମା ନିଷ୍କ୍ରିୟକାରୀ ଦଳ ଏବଂ ଅନ୍ୟାନ୍ୟ ସୁରକ୍ଷା ଦଳ ଲାଲକିଲ୍ଲାରେ ପହଞ୍ଚି ପ୍ରତିଟି କୋଣ ଅନୁକୋଣକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ ।
ବର୍ତ୍ତମାନ ପୋଲିସ ଉକ୍ତ କଲ୍ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହ ଏହା ପଛର ଉଦ୍ଦେଶ୍ୟ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି । ମାତ୍ର କିଛି ମାସ ପୂର୍ବେ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ଏକ ଶକ୍ତିଶାଳୀ ଗାଡ଼ି-ବୋମା ବିସ୍ଫୋରଣ ଘଟିଥିଲା, ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ବହୁ ସଂଖ୍ୟାରେ ଆହତ ହୋଇଥିଲେ ।
ସେହି ବିସ୍ଫୋରଣରେ ବ୍ୟବହୃତ ହ୍ୟୁଣ୍ଡାଇ i20 ଗାଡ଼ିର ଚାଳକ ଜଣକ ଫରିଦାବାଦର ଅଲ୍-ଫଲାହ ବିଶ୍ୱବିଦ୍ୟାଳୟର ଜଣେ କାଶ୍ମୀରୀ ଡାକ୍ତର ଉମର-ଉନ୍-ନବୀ ଥିଲେ ବୋଲି ତଦନ୍ତରୁ ଜଣାପଡ଼ିଥିଲା । ହରିୟାଣାର ଫରିଦାବାଦରୁ ପ୍ରାୟ ୨,୯୦୦ କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ ଜବତ ହେବା ପରେ ଅଭିଯୁକ୍ତ ଏହି ଗାଡ଼ି ବିସ୍ଫୋରଣ ଘଟାଇଥିବା ସନ୍ଦେହ କରାଯାଉଥିଲା ।
ଏହା ବ୍ୟତୀତ ଗତ ମେ ମାସରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ପାକିସ୍ତାନର ଆଇଏସ୍ଆଇ (ISI) ଏବଂ ଗ୍ୟାଙ୍ଗଷ୍ଟର ଦାଉଦ୍ ଇବ୍ରାହିମ ସହ ଜଡ଼ିତ ୯ ଜଣଙ୍କୁ ଗିରଫ କରିଥିଲା, ଯେଉଁମାନେ ଦେଶର ପ୍ରମୁଖ ବିମାନବନ୍ଦର, ରେଳ ଷ୍ଟେସନ ଏବଂ ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ ପାଇଁ ଯୋଜନା କରୁଥିଲେ । ଏହି ସବୁ ପୃଷ୍ଠଭୂମିକୁ ଦୃଷ୍ଟିରେ ରଖି ଆଜିର ଧମକପୂର୍ଣ୍ଣ କଲ୍ ପରେ ସୁରକ୍ଷା ସଂସ୍ଥାଗୁଡ଼ିକ କୌଣସି ପ୍ରକାରର ଢିଲାପଣ ନଦେଖାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।




