ନୂଆଦିଲ୍ଲୀ: ଚଳିତବର୍ଷ ଏଲ୍ନିନୋ ପ୍ରଭାବ ଯୋଗୁଁ ମୌସୁମୀ ବର୍ଷା ସାଧାରଣଠାରୁ କମ୍ ରହିପାରେ ବୋଲି ଆକଳନ କରାଯାଉଥିବା ବେଳେ ଏହାର ପ୍ରଭାବ ଜଳବିଦ୍ୟୁତ୍ ଉତ୍ପାଦନ ଉପରେ ପଡ଼ିବା ଆଶଙ୍କା ବଢ଼ିଛି। ଯଦିଓ ବର୍ତ୍ତମାନ ସୁଦ୍ଧା ବିଦ୍ୟୁତ୍ ଉତ୍ପାଦନରେ କୌଣସି ବଡ଼ ପ୍ରଭାବ ଦେଖାଯାଇନାହିଁ, ତଥାପି ଶକ୍ତି ମନ୍ତ୍ରାଳୟ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛି।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଯଦି ଜଳବିଦ୍ୟୁତ୍ ଉତ୍ପାଦନରେ ହ୍ରାସ ଘଟେ, ତେବେ ତାହାକୁ ତାପଜ ବିଦ୍ୟୁତ୍ କେନ୍ଦ୍ର ମାଧ୍ୟମରେ ପୂରଣ କରାଯିବ। କମ୍ ବର୍ଷା ପରିସ୍ଥିତିରେ ଜଳସେଚନ ପାଇଁ ଅଧିକ ପାଣି ବ୍ୟବହାର ହୋଇଥାଏ ଏବଂ ଉଚ୍ଚ ତାପମାତ୍ରା କାରଣରୁ ଘରୋଇ ବିଦ୍ୟୁତ୍ ଚାହିଦା ମଧ୍ୟ ବୃଦ୍ଧି ପାଇଥାଏ।
୨୦୨୩ରେ ଏଭଳି ପରିସ୍ଥିତି ଦେଖାଦେଇଥିଲା। ସେହିବର୍ଷ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ବିଦ୍ୟୁତ୍ ବ୍ୟବହାର ରେକର୍ଡ ସ୍ତରକୁ ପହଞ୍ଚିଥିଲା। ସେପ୍ଟେମ୍ବରରେ ପିକ୍ ପାୱାର ଡିମାଣ୍ଡ ୨୪୦ ଗିଗାୱାଟ୍ ଛୁଇଁଥିଲା। ଏବେ ଚଳିତବର୍ଷ ମେ ମାସରେ ପିକ୍ ବିଦ୍ୟୁତ୍ ଚାହିଦା ୨୭୦ ଗିଗାୱାଟ୍ ରେକର୍ଡ ହୋଇଛି।
ଏହି ପରିସ୍ଥିତିର ମୁକାବିଲା ପାଇଁ ଜରୁରୀକାଳୀନ ପ୍ରସ୍ତୁତି ଆରମ୍ଭ ହୋଇଛି। ଆବଶ୍ୟକ ପଡ଼ିଲେ ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକର ରକ୍ଷଣାବେକ୍ଷଣ ସମୟସୀମାକୁ ମଧ୍ୟ ପଛକୁ ସରାଯାଇପାରେ। ଆସନ୍ତା ସେପ୍ଟେମ୍ବରରେ ପିକ୍ ବିଦ୍ୟୁତ୍ ଚାହିଦା ପ୍ରାୟ ୨୫୦ ଗିଗାୱାଟ୍ ରହିପାରେ ବୋଲି ଅନୁମାନ କରାଯାଇଛି।
ବିଶେଷଜ୍ଞମାନଙ୍କ ମତରେ, ଅଧିକ ତାପମାତ୍ରା, ଗ୍ରୀଷ୍ମଲହର ଓ ମୌସୁମୀ ବର୍ଷାର ନିଅଣ୍ଟ ପରିସ୍ଥିତି ଏକାସାଥିରେ ବିଦ୍ୟୁତ୍ ଚାହିଦାକୁ ଅଧିକ ବଢ଼ାଇପାରେ। ଏହି କାରଣରୁ ଉତ୍ପାଦନ ଓ ଯୋଗାଣ ବ୍ୟବସ୍ଥାକୁ ନେଇ ସରକାର ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛନ୍ତି।




