ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ବିଗୁଡ଼ୁଥିବା ସୁରକ୍ଷା ପରିସ୍ଥିତି ମଧ୍ୟରେ ଭାରତ ସରକାର ଇରାନରେ ଥିବା ନିଜ ନାଗରିକଙ୍କ ପାଇଁ ଜରୁରୀ ପରାମର୍ଶ ଜାରି କରିଛି। ତେହେରାନସ୍ଥିତ ଭାରତୀୟ ଦୂତାବାସ ସୋମବାର ସମସ୍ତ ଭାରତୀୟଙ୍କୁ ଇରାନ ଯାତ୍ରା ଏଡାଇବା ସହ ସେଠାରେ ଅବସ୍ଥାନ କରୁଥିବା ଲୋକଙ୍କୁ ଉପଲବ୍ଧ ପରିବହନ ବ୍ୟବସ୍ଥା ମାଧ୍ୟମରେ ଶୀଘ୍ର ଦେଶ ଛାଡ଼ିବାକୁ ପରାମର୍ଶ ଦେଇଛି।
ଇରାନ ଓ ଇସ୍ରାଏଲ ମଧ୍ୟରେ ପୁଣିଥରେ କ୍ଷେପଣାସ୍ତ୍ର ଆକ୍ରମଣ ଏବଂ ସାମରିକ ଉତ୍ତେଜନା ବୃଦ୍ଧି ପାଇବା ପରେ ଏହି ପଦକ୍ଷେପ ନିଆଯାଇଛି। ଗତ ୨୪ ଘଣ୍ଟାରେ ସୁରକ୍ଷା ସ୍ଥିତି ଅଧିକ ଜଟିଳ ହୋଇଥିବାରୁ ଦୂତାବାସ ପକ୍ଷରୁ ସତର୍କତା ଜାରି କରାଯାଇଛି।
ପରାମର୍ଶରେ କୁହାଯାଇଛି ଯେ, ଯୁଦ୍ଧବିରତି ପ୍ରୟାସ ସତ୍ତ୍ୱେ ନିକଟ ଦିନଗୁଡ଼ିକରେ କ୍ଷେପଣାସ୍ତ୍ର ବିନିମୟ, ବିମାନ ଆକ୍ରମଣ ଏବଂ ରଣନୈତିକ ସ୍ଥାନଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ ବୃଦ୍ଧି ପାଇଛି। ଏହି କାରଣରୁ ଭାରତୀୟ ନାଗରିକମାନଙ୍କୁ ଅତ୍ୟଧିକ ସତର୍କ ରହିବାକୁ କୁହାଯାଇଛି।
ସୂଚନାଯୋଗ୍ୟ, ଫେବ୍ରୁଆରି ଶେଷ ଭାଗରୁ ଅଞ୍ଚଳରେ ଉତ୍ତେଜନା ବଢ଼ିବା ପରେ ଭାରତ ସରକାର ପୂର୍ବରୁ ମଧ୍ୟ ଅନେକ ପର୍ଯ୍ୟାୟରେ ପରାମର୍ଶ ଜାରି କରିଥିଲା। ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୂତାବାସ ସହ ସଂପର୍କରେ ରହିବା ଓ ସରକାରୀ ନିର୍ଦ୍ଦେଶ ଅନୁସରଣ କରିବାକୁ ନାଗରିକଙ୍କୁ କୁହାଯାଇଛି।




