ଜୟପୁର: ରାଜସ୍ଥାନ ବିଧାନସଭା ନିଜର ଗଣତାନ୍ତ୍ରିକ ଯାତ୍ରାର ୭୫ ବର୍ଷ ପୂର୍ତ୍ତି ଅର୍ଥାତ୍ ପ୍ଲାଟିନମ୍ ଜୁବିଲି ପାଳନ କରୁଛି। ହେଲେ ଏହି ସମୟରେ ବିଧାନସଭାର କାର୍ଯ୍ୟଧାରାରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ହେଉଛି ବୈଠକ ସଂଖ୍ୟାରେ କ୍ରମାଗତ ହ୍ରାସ। ପ୍ରାରମ୍ଭିକ ବର୍ଷଗୁଡ଼ିକରେ ବିଧାନସଭା ଅଧିବେଶନରେ ୩୦୦ ରୁ ଅଧିକ ବୈଠକ ବସୁଥିବା ବେଳେ ବର୍ତ୍ତମାନର ୧୬ଶ ବିଧାନସଭାରେ ଏହା ମାତ୍ର ୮୪ ରେ ସୀମିତ ରହିଛି। ଏହି ସଂକୁଚିତ କାର୍ଯ୍ୟସୂଚୀ ଗଣତାନ୍ତ୍ରିକ ଆଲୋଚନା ଓ ଜନସାଧାରଣଙ୍କ ସମସ୍ୟା ଉପରେ ସମୀକ୍ଷା ପାଇଁ ମିଳୁଥିବା ସମୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଇତିହାସକୁ ଦେଖିଲେ, ପ୍ରଥମ ବିଧାନସଭା (୧୯୫୨-୧୯୫୭) ରେ ୩୦୩ ଟି ଏବଂ ଦ୍ବିତୀୟ ବିଧାନସଭା (୧୯୫୭-୧୯୬୨) ରେ ସର୍ବାଧିକ ୩୦୫ ଟି ବୈଠକ ବସିଥିଲା। ସେତେବେଳେ ପ୍ରତିନିଧିମାନେ ସରକାରୀ ନୀତି ଓ ଜନହିତକର ପ୍ରସଙ୍ଗରେ ଦୀର୍ଘ ସମୟ ଧରି ବିତର୍କ କରୁଥିଲେ। ମାତ୍ର ପରବର୍ତ୍ତୀ ଦଶନ୍ଧିଗୁଡ଼ିକରେ ଏହା ହ୍ରାସ ପାଇ ଚାଲିଲା। ତୃତୀୟରେ ୨୬୮, ଚତୁର୍ଥରେ ୨୪୨ ଏବଂ ଷଷ୍ଠ ବିଧାନସଭାରେ ଏହା ୧୧୫ କୁ ଖସି ଆସିଥିଲା। ପରେ ଏଥିରେ ସାମାନ୍ୟ ସୁଧାର ଆସି ୧୫ଶ ବିଧାନସଭାରେ ୧୪୭ ବୈଠକ ହୋଇଥିବା ବେଳେ ଚଳିତ ୧୬ଶ ବିଧାନସଭାରେ ଏହା ମାତ୍ର ୮୪ ରେ ପହଞ୍ଚିଛି।
ବୈଠକ ସଂଖ୍ୟା କମିବା ଦ୍ବାରା ବିଧାୟକମାନେ ଜନସାଧାରଣଙ୍କ ସମସ୍ୟା ଉଠାଇବା ଓ ଆଇନ ପ୍ରଣୟନରେ ସକ୍ରିୟ ଅଂଶଗ୍ରହଣ କରିବା ପାଇଁ କମ୍ ସୁଯୋଗ ପାଉଛନ୍ତି। ଏହି ଗମ୍ଭୀର ପ୍ରସଙ୍ଗରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ବୁଧବାର ଗୃହରେ ଅଧିକ ଆଲୋଚନା, ବିତର୍କ ଓ ସଦସ୍ୟଙ୍କ ସକ୍ରିୟ ଅଂଶଗ୍ରହଣ ଉପରେ ଗୁରୁତ୍ବ ଦେଇଛନ୍ତି। ସେହିପରି ରାଜସ୍ଥାନ ବିଧାନସଭାର ବିରୋଧୀ ଦଳ ନେତା ଟୀକାରାମ ଜୁଲି ଏହା ଉପରେ ଆତ୍ମସମୀକ୍ଷାର ଆବଶ୍ୟକତା ଥିବା କହିଛନ୍ତି।
ଜୁଲି କହିଛନ୍ତି ଯେ, “ଦ୍ବିତୀୟ ବିଧାନସଭାରେ ୩୦୫ ଟି ବୈଠକ ସହ ୧୬୦୦ ରୁ ଅଧିକ ଘଣ୍ଟା କାର୍ଯ୍ୟ ହୋଇଥିଲା, ଯାହା ୧୫ଶ ବିଧାନସଭା ବେଳକୁ ପ୍ରାୟ ଅଧା ହୋଇଯାଇଛି। କୌଣସି ଗୋଟିଏ ସରକାର ନୁହେଁ, ବରଂ ସବୁ ସରକାରଙ୍କ ସମୟରେ ବିଧାନସଭାର କାର୍ଯ୍ୟକାଳ ହ୍ରାସ ପାଇଛି।” ସେ ମନେ ପକାଇ ଦେଇଛନ୍ତି ଯେ ସୂଚନା ଅଧିକାର (RTI), ସତୀ ପ୍ରଥା ଉଚ୍ଛେଦ, ପଞ୍ଚାୟତରାଜ ସଂସ୍କାର ଭଳି ଦେଶର ଅନେକ ଗୁରୁତ୍ବପୂର୍ଣ୍ଣ ଆଇନର ସୂତ୍ରପାତ ରାଜସ୍ଥାନ ବିଧାନସଭାର ଆଲୋଚନାରୁ ହିଁ ହୋଇଥିଲା।
ଶାସକ ଓ ବିରୋଧୀ ଉଭୟ ପକ୍ଷର ନେତାମାନେ ସହମତ ଯେ, ବିଧାନସଭା କେବଳ ଆଇନ ପାସ୍ କରିବା ଜାଗା ନୁହେଁ, ବରଂ ଏହା ଜନତାଙ୍କ ସ୍ବର ହେବା ଉଚିତ। ପ୍ଲାଟିନମ୍ ଜୁବିଲି ବର୍ଷରେ ପଦାର୍ପଣ କରିଥିବା ରାଜସ୍ଥାନ ବିଧାନସଭା ପାଇଁ ଏବେ ପୁରୁଣା ଗଣତାନ୍ତ୍ରିକ ପରମ୍ପରା, ଆଲୋଚନା ଓ ଜବାବଦେହିତାକୁ ପୁନର୍ଜୀବିତ କରିବା ଏକ ବଡ଼ ଆହ୍ବାନ।




