ନୂଆଦିଲ୍ଲୀ: ସାବରିମାଲା ମାମଲାର ଶୁଣାଣି ସମୟରେ ସୁପ୍ରିମ୍କୋର୍ଟ ବୁଧବାର ହିନ୍ଦୁଧର୍ମ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ରଖିଛନ୍ତି। ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କହିଛନ୍ତି ଯେ, ହିନ୍ଦୁଧର୍ମ କେବଳ ଧାର୍ମିକ ପରମ୍ପରା ନୁହେଁ, ଏହା ଏକ ଜୀବନଶୈଳୀ। ତେଣୁ ନିଜ ବିଶ୍ୱାସ ପ୍ରମାଣ କରିବା ପାଇଁ ମନ୍ଦିରକୁ ଯିବା ବାଧ୍ୟତାମୂଳକ ନୁହେଁ।
ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ସାବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ଏବଂ ଧାର୍ମିକ ସ୍ୱାଧୀନତା ସମ୍ବନ୍ଧୀୟ ଆବେଦନର ଶୁଣାଣି କରୁଥିଲେ। ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ଡ. ମୋହନ ଗୋପାଳ ହିନ୍ଦୁଧର୍ମର ପରିଭାଷା ଏବଂ ତାହାର ଦାର୍ଶନିକ ଆଧାର ଉପରେ ଯୁକ୍ତି ରଖିଥିଲେ।
ସେ କହିଥିଲେ ଯେ, ୧୯୬୬ ମସିହାର ଏକ ରାୟ ଅନୁସାରେ ବେଦକୁ ସର୍ବୋଚ୍ଚ ବୋଲି ମାନୁଥିବା ବ୍ୟକ୍ତିଙ୍କୁ ହିନ୍ଦୁ ବୋଲି ଗଣାଯାଏ। କିନ୍ତୁ ବର୍ତ୍ତମାନ ସମୟରେ ନିଜକୁ ହିନ୍ଦୁ ବୋଲି କହୁଥିବା ପ୍ରତ୍ୟେକ ବ୍ୟକ୍ତି ବେଦକୁ ସର୍ବୋଚ୍ଚ ବୋଲି ମାନନ୍ତି କି ନାହିଁ, ସେଥି ନେଇ ସେ ପ୍ରଶ୍ନ ଉଠାଇଥିଲେ।
ଏହାର ଜବାବରେ ଜଷ୍ଟିସ୍ ବିଭି ନାଗରତ୍ନା କହିଥିଲେ ଯେ, ସେଥିପାଇଁ ହିନ୍ଦୁତ୍ୱକୁ ଏକ ଜୀବନଶୈଳୀ କୁହାଯାଏ। ହିନ୍ଦୁ ହୋଇ ରହିବା ପାଇଁ ମନ୍ଦିରକୁ ଯିବା କିମ୍ବା ନିର୍ଦ୍ଦିଷ୍ଟ ରୀତିନୀତି ପାଳନ କରିବା ଆବଶ୍ୟକ ନୁହେଁ।
ଜଷ୍ଟିସ୍ ନାଗରତ୍ନାଙ୍କ ମତ ସହ ସହମତ ହୋଇ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଥିଲେ, “ଯଦି ଜଣେ ବ୍ୟକ୍ତି ନିଜ ଘରେ ଦୀପ ଜଳାନ୍ତି, ତାହା ମଧ୍ୟ ତାଙ୍କ ବିଶ୍ୱାସ ପ୍ରମାଣ କରିବା ପାଇଁ ଯଥେଷ୍ଟ।”
ଶୁଣାଣି ସମୟରେ ସୁପ୍ରିମ୍କୋର୍ଟ ଏହା ମଧ୍ୟ କହିଥିଲେ ଯେ, ଯଦି ଧର୍ମ ସମ୍ବନ୍ଧୀୟ ପ୍ରତ୍ୟେକ ପ୍ରଥାକୁ ସାମ୍ବିଧାନିକ କୋର୍ଟରେ ଚ୍ୟାଲେଞ୍ଜ କରାଯାଏ, ତେବେ ଏଭଳି ଶତାଧିକ ମାମଲା ଆସିପାରେ।
ଉଲ୍ଲେଖଯୋଗ୍ୟ, ୨୦୧୮ ସେପ୍ଟେମ୍ବରରେ ସୁପ୍ରିମ୍କୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ସାବରିମାଲା ଆୟାପ୍ପା ମନ୍ଦିରରେ ୧୦ରୁ ୫୦ ବର୍ଷ ବୟସର ମହିଳାଙ୍କ ପ୍ରବେଶ ଉପରେ ଥିବା ପ୍ରତିବନ୍ଧକକୁ ହଟାଇ ଦେଇଥିଲେ। କୋର୍ଟ ଏହାକୁ ଅସାମ୍ବିଧାନିକ ଓ ବେଆଇନ ବୋଲି ରାୟ ଦେଇଥିଲେ। ପରେ ଏହି ରାୟର ପୁନର୍ବିଚାର ପାଇଁ ଅନେକ ପିଟିସନ ଦାଖଲ ହୋଇଥିଲା ଏବଂ ବର୍ତ୍ତମାନ ମାମଲାର ଶୁଣାଣି ଜାରି ରହିଛି।




