ତାମିଲନାଡୁ: ତାମିଲନାଡୁର ଆର୍ଥିକ ସ୍ଥିତି ଏବେ ଗମ୍ଭୀର ସଙ୍କଟ ଦେଇ ଗତି କରୁଛି। ଅର୍ଥମନ୍ତ୍ରୀ ଏନ୍. ମାରି ଉଇଲସନଙ୍କ ଦ୍ୱାରା ଉପସ୍ଥାପିତ ଏକ ଶ୍ୱେତପତ୍ର ଅନୁଯାୟୀ, ରାଜ୍ୟର ମୋଟ ଆର୍ଥିକ ଦେୟତା ପ୍ରାୟ ୧୩.୧୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି, ଯେଉଁଥିରେ ପ୍ରତ୍ୟକ୍ଷ ଋଣର ପରିମାଣ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା। ବିଜୟ ସରକାରଙ୍କ ଦ୍ୱାରା ପ୍ରକାଶିତ ଏହି ଦସ୍ତାବେଜ ପୂର୍ବତନ ଏମ.କେ. ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମକେ ପ୍ରଶାସନର ଦୁର୍ବଳ ଆର୍ଥିକ ପରିଚାଳନାକୁ ପଦାରେ ପକାଇଛି।

ବିଗତ ୫ ବର୍ଷ ମଧ୍ୟରେ ରାଜ୍ୟର ପ୍ରତ୍ୟକ୍ଷ ଋଣ ୪.୮ ଲକ୍ଷ କୋଟିରୁ ଦୁଇଗୁଣ ବଢ଼ି ୧୦ ଲକ୍ଷ କୋଟି ଟଙ୍କା ହୋଇଛି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହି ସମୟ ମଧ୍ୟରେ ନିଆଯାଇଥିବା ଋଣ, ଗତ ୬୦ ବର୍ଷର ମୋଟ ଋଣକୁ ଟପିଯାଇଛି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଏହି ଅର୍ଥ ଭିତ୍ତିଭୂମି ବିକାଶ ପରିବର୍ତ୍ତେ ଦୈନନ୍ଦିନ ଖର୍ଚ୍ଚ ପାଇଁ ବ୍ୟବହାର କରାଯାଇଛି। ରିପୋର୍ଟ ମୁତାବକ, ବର୍ତ୍ତମାନ ତାମିଲନାଡୁରେ ଜନ୍ମ ହେଉଥିବା ପ୍ରତ୍ୟେକ ଶିଶୁ ମୁଣ୍ଡରେ ପ୍ରାୟ ୧.୨୮ ଲକ୍ଷ ଟଙ୍କାର ଋଣ ବୋଝ ରହିଛି।

ରାଜ୍ୟର ଋଣ-ଜିଏସଡିପି ଅନୁପାତ ୨୮.୩% କୁ ବୃଦ୍ଧି ପାଇଛି, ଯାହା ଗୁଜରାଟ (୧୭.୬%), ମହାରାଷ୍ଟ୍ର (୧୯.୭%) ଏବଂ କର୍ଣ୍ଣାଟକ (୨୩.୪%) ତୁଳନାରେ ବହୁତ ଅଧିକ। ଏହାସହ ରାଜସ୍ୱ ନିଅଣ୍ଟ ୪୬,୫୩୮ କୋଟିରୁ ବଢ଼ି ୭୮,୩୨୪ କୋଟି ଟଙ୍କା ହୋଇଛି ଏବଂ ରାଜ୍ୟ ଆୟର ପ୍ରତି ଟଙ୍କାରୁ ୨୨.୮ ପଇସା କେବଳ ସୁଧ ବାବଦରେ ଯାଉଛି। ଅନ୍ୟପଟେ ଜିଏସଟି ରାଜସ୍ୱ ବୃଦ୍ଧି ମାତ୍ର ୫.୪୫% ରହିଛି, ଯାହା ବ୍ୟୟ ତୁଳନାରେ ଯଥେଷ୍ଟ ନୁହେଁ। ପୂର୍ବରୁ ଷ୍ଟାଲିନ ଏହି ଋଣ ସୀମା ମଧ୍ୟରେ ଥିବା ଦାବି କରିଥିବା ବେଳେ ଏହି ଶ୍ୱେତପତ୍ର ଉପରେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।