ଭୁବନେଶ୍ୱର: ରବିବାର ବିଳମ୍ବିତ ରାତିରେ କଟକ ଖାନ୍ନଗର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଟଳିଯାଇଛି। ଏକ ଶିଶୁ ରୋଗୀକୁ ନେଇ ଯାଉଥିବା ଆମ୍ବୁଲାନ୍ସରେ ହଠାତ ନିଆଁ ଲାଗିଯାଇଥିଲା। ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କେହି ଆହତ ବା ପ୍ରାଣହାନି ହୋଇନାହିଁ।
ରିପୋର୍ଟ ଅନୁଯାୟୀ, ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳରୁ ଏକ ଶିଶୁ ରୋଗୀକୁ ଚିକିତ୍ସା ପାଇଁ କଟକ ଶିଶୁ ଭବନକୁ ଅଣାଯାଉଥିଲା। ରାତି ପ୍ରାୟ ୧ଟା ସମୟରେ ଆମ୍ବୁଲାନ୍ସଟି ଖାନ୍ନଗର ଛକରୁ ପୁରୀଘାଟ ଆଡ଼କୁ ଯାଉଥିବା ବେଳେ ହଠାତ ସେଥିରୁ ଧୂଆଁ ଓ ନିଆଁ ବାହାରିଥିଲା।ନିଆଁ ବ୍ୟାପିବା ପୂର୍ବରୁ ଶିଶୁର ପରିବାର ଲୋକଙ୍କ ଉପସ୍ଥିତ ବୁଦ୍ଧି ଏବଂ ଆମ୍ବୁଲାନ୍ସ କର୍ମଚାରୀଙ୍କ ତତ୍ପରତା ଯୋଗୁଁ ଗାଡ଼ିରେ ଥିବା ସମସ୍ତ ସଦସ୍ୟ ଓ ଶିଶୁ ରୋଗୀକୁ ସୁରକ୍ଷିତ ଭାବେ ବାହାରକୁ ବାହାର କରି ଅଣାଯାଇଥିଲା।
ସ୍ଥାନୀୟ ଲୋକ ଓ ଗାଡ଼ି ଚାଳକଙ୍କ ଦ୍ୱାରା ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିଶମ ବାହିନୀ ନିଆଁକୁ ଲିଭାଇ ଦେଇଥିଲେ ମଧ୍ୟ ସେତେବେଳକୁ ଆମ୍ବୁଲାନ୍ସଟି ସମ୍ପୂର୍ଣ୍ଣ ଭାବେ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା। ଗାଡ଼ିରେ କେଉଁ କାରଣରୁ ନିଆଁ ଲାଗିଲା, ସେ ନେଇ ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି।




