ବେଜିଂ: ବାତ୍ୟା ‘ବାଭି’ ଏବଂ ଏହାର ପ୍ରଭାବରେ ସକ୍ରିୟ ହୋଇଥିବା ମୌସୁମୀ ବାୟୁ ଯୋଗୁଁ ଫିଲିପାଇନ୍ସ ଏବଂ ଚୀନରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଫିଲିପାଇନ୍ସର ଅଫିସ ଅଫ୍ ସିଭିଲ୍ ଡିଫେନ୍ସ ର ସୂଚନା ଅନୁଯାୟୀ, ବାତ୍ୟା ଓ ପ୍ରବଳ ବର୍ଷା ଜନିତ ବିଭିନ୍ନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଥିବା ବେଳେ ଏବେ ମଧ୍ୟ ୧୨ ଜଣ ଲୋକ ନିଖୋଜ ଅଛନ୍ତି।ଏହି ମୃତ୍ୟୁ ମୁଖ୍ୟତଃ ଭୂସ୍ଖଳନ ଏବଂ ପାଣିରେ ବୁଡ଼ିଯିବା ଯୋଗୁଁ ହୋଇଛି।
ବର୍ତ୍ତମାନ ସୁଦ୍ଧା ଦେଶର ପ୍ରାୟ ୫ ଲକ୍ଷ ୬୨ ହଜାରରୁ ଅଧିକ ଲୋକ ଏହି ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ସ୍ଥାନୀୟ ପାଣିପାଗ ସଂସ୍ଥା ଚେତାବନୀ ଦେଇଛି ଯେ, ବାତ୍ୟା ପ୍ରଭାବରେ ଆଗକୁ ମଧ୍ୟ ପ୍ରବଳ ବର୍ଷା ଜାରି ରହିବ, ଯାହାଫଳରେ ବନ୍ୟା ଏବଂ ଭୂସ୍ଖଳନ ଆଶଙ୍କା ଆହୁରି ବଢ଼ିଯାଇଛି। ସମୁଦ୍ର ଅଶାନ୍ତ ଥିବାରୁ କୋଷ୍ଟଗାର୍ଡ ପକ୍ଷରୁ ସମୁଦ୍ର ବନ୍ଦରଗୁଡ଼ିକରେ ଶତାଧିକ ଯାତ୍ରୀ ଅଟକି ରହିଛନ୍ତି ଏବଂ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଅନ୍ୟପଟେ, ଚୀନରେ ମଧ୍ୟ ବାତ୍ୟା ‘ବାଭି’ ପ୍ରଳୟ ସୃଷ୍ଟି କରିଛି। ଚଳିତ ବର୍ଷର ଏହି ନବମ ବାତ୍ୟା ଗତ ଶନିବାର ବିଳମ୍ବିତ ରାତିରେ ପୂର୍ବ ଚୀନର ଜେଜିଆଙ୍ଗ ପ୍ରଦେଶ ଉପକୂଳରେ ଦୁଇ ଦୁଇ ଥର ଲ୍ୟାଣ୍ଡଫଲ୍ କରିବା ପରେ ସ୍ଥଳଭାଗ ଆଡ଼କୁ ଗତି କରିଛି। ୧୯୪୯ ମସିହା ପରଠାରୁ ଜୁଲାଇ ମାସରେ ଜେଜିଆଙ୍ଗ ଉପକୂଳକୁ ସ୍ପର୍ଶ କରିଥିବା ଏହା ସବୁଠାରୁ ଶକ୍ତିଶାଳୀ ବାତ୍ୟା ବୋଲି କୁହାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଜେଜିଆଙ୍ଗର ପ୍ରାୟ ୪୨ ପ୍ରତିଶତ ଅଞ୍ଚଳରେ ୫୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି।
ବାତ୍ୟାର ବିଶାଳ ଆକାର ଏବଂ ତୀବ୍ରତା ଯୋଗୁଁ ସମୁଦ୍ରରେ ଉଚ୍ଚ ଜୁଆର ଉଠିବା ସହ ଆଭ୍ୟନ୍ତରୀଣ ଅଞ୍ଚଳରେ ହଠାତ୍ ବନ୍ୟା, ସହରୀ ଜଳବନ୍ଦୀ ଏବଂ ଭୂଗର୍ଭୀୟ ବିପର୍ଯ୍ୟୟର ସଂକଟ ଦେଖାଦେଇଛି।ଏହାକୁ ଦୃଷ୍ଟିରେ ରଖି ଚୀନ ସରକାର ବନ୍ୟା ନିୟନ୍ତ୍ରଣ ଏବଂ ବିପର୍ଯ୍ୟୟ ପ୍ରଶମନ ବ୍ୟବସ୍ଥାକୁ ବ୍ୟାପକ ଭାବେ ଜୋରଦାର କରିଛନ୍ତି। ଉଭୟ ଦେଶରେ ପ୍ରଶାସନ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି।




