କଟକ: କଟକ ସହରରେ ଜଣେ ମହିଳା ସୁନା ବ୍ୟବସାୟୀଙ୍କୁ ନିର୍ମମ ଭାବେ ଆକ୍ରମଣ କରାଯାଇ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରାଯାଇଥିବା ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୧୬ ନମ୍ବର ଜାତୀୟ ରାଜପଥରେ ୬ ଜଣ ସଶସ୍ତ୍ର ଦୁର୍ବୃତ୍ତ ଜଣେ ମହିଳାଙ୍କୁ ରଡ୍‌ରେ ପିଟିବା ସହ ତାଙ୍କ ନିକଟରୁ ୩୬ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି। ବିଳମ୍ବିତ ରାତିରେ ଘଟିଥିବା ଏହି ସଶସ୍ତ୍ର ଲୁଟପାଟ ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ୧୦ଟାରୁ ୧୦.୩୦ ମିନିଟ ମଧ୍ୟରେ ତାଳଦଣ୍ଡା କେନାଲ ବ୍ରିଜ୍ ଉପରେ ଏହି ଲୁଟ୍‌କାଣ୍ଡ ଘଟିଛି। ପିଙ୍କି ସାହା ନାମକ ଜଣେ ମହିଳା ସୁନା ବ୍ୟବସାୟୀ ଗହଣା କିଣିବା ପାଇଁ ଜଣେ କର୍ମଚାରୀଙ୍କ ସହ ସ୍କୁଟିରେ କୋଲକାତା ଅଭିମୁଖେ ବାହାରିଥିଲେ। ଏହି ସମୟରେ ତିନୋଟି ମୋଟରସାଇକେଲରେ ୬ ଜଣ ଦୁର୍ବୃତ୍ତ ଆସି ସେମାନଙ୍କ ରାସ୍ତା ଓଗାଳିଥିଲେ।

ଦୁର୍ବୃତ୍ତମାନେ ପ୍ରଥମେ ସେମାନଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ। ଏହାପରେ ମହିଳା ବ୍ୟବସାୟୀ ପିଙ୍କି ସାହାଙ୍କୁ ଏକ ଲୁହା ରଡ୍‌ରେ ନିର୍ମମ ଭାବେ ମାଡ଼ ମାରିଥିଲେ। ସେ ଗୁରୁତର ହୋଇ ତଳେ ପଡ଼ିଯିବା ପରେ ତାଙ୍କ ପାଖରେ ଥିବା ୩୬ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍‌ଟିକୁ ଝାମ୍ପି ନେଇ ବାଇକ୍‌ରେ ଚମ୍ପଟ ମାରିଥିଲେ।

ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ତୁରନ୍ତ ପହଞ୍ଚି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଆହତ ମହିଳା ବ୍ୟବସାୟୀଙ୍କୁ ଉଦ୍ଧାର କରିଥିଲା। ତାଙ୍କୁ ଚିକିତ୍ସା ପାଇଁ କଟକ ଏସସିବି (SCB) ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଏହି ସମ୍ପର୍କରେ ମହିଳାଙ୍କ ପରିବାର ଲୋକେ ମଧୁପାଟଣା ଥାନାରେ ଏକ ଲିଖିତ ଅଭିଯୋଗ ଦାୟର କରିଛନ୍ତି। ପୋଲିସ ମହିଳାଙ୍କ ବୟାନ ରେକର୍ଡ କରିବା ସହ ଘଟଣାର ଛାନଭିନ ଆରମ୍ଭ କରିଛି। ଲୁଟେରାମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।