ଭୁବନେଶ୍ୱର: ଦୀର୍ଘ ୪ ବର୍ଷର ନିରବତା ଏବଂ ପରିବାରଠାରୁ ବିଚ୍ଛେଦ ପରେ ଶେଷରେ ନିଜ ଭିଟାମାଟିକୁ ଫେରୁଛନ୍ତି ଓଡ଼ିଶାର ଜଣେ ସାହସୀ ମହିଳା। ସଂଯୁକ୍ତ ଆରବ ଏମିରେଟ୍ସ (UAE) ରେ ଥିବା ଭାରତୀୟ ଦୂତାବାସ’ର ବଡ଼ ପଦକ୍ଷେପ ଯୋଗୁଁ କେନ୍ଦୁଝର ଜିଲ୍ଲାର ସିଙ୍ଗଲ ମଦର(ଏକାକୀ ମା) ହସ୍ତା ମହାନନ୍ଦ ଦୁବାଇରୁ ନିଜ ଘରକୁ ଫେରୁଛନ୍ତି।

ନିଜର ୩ ଝିଅଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଆଶାରେ ହସ୍ତା ୨୦୧୯ ମସିହାରେ ଦୁବାଇ ଯାଇଥିଲେ। ସେ ଶେଷ ଥର ପାଇଁ ୨୦୨୨ରେ ଓଡ଼ିଶା ଆସିଥିଲେ। ଏହାପରେ ତାଙ୍କ ନିଯୁକ୍ତିଦାତା ତାଙ୍କର ପାସପୋର୍ଟ ଏବଂ ଭିସା ଜବତ କରି ନେଇଥିବା ସେ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ, ତାଙ୍କୁ ପରିବାର ସହ ଯୋଗାଯୋଗ କରିବାକୁ ମଧ୍ୟ ସୁଯୋଗ ଦିଆଯାଇନଥିଲା।

ମାଲିକଙ୍କ କବଳରୁ ମୁକ୍ତି ପାଇବା ପାଇଁ ହସ୍ତା ଏକ ସାହସିକ ପଦକ୍ଷେପ ନେଇ ନିଜର ଦୁର୍ଦ୍ଦଶା ବର୍ଣ୍ଣନା କରି ଫେସବୁକରେ ଏକ ଭିଡିଓ ପୋଷ୍ଟ କରିଥିଲେ, ଯାହା ଭାରତୀୟ ଦୂତାବାସର ଅଧିକାରୀଙ୍କ ନଜରକୁ ଆସିଥିଲା। ଅପରପକ୍ଷରେ ଓଡ଼ିଶାରେ ଥିବା ତାଙ୍କର ୩ ଝିଅ ମା’ଙ୍କୁ ଫେରାଇ ଆଣିବା ପାଇଁ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଏହି ମାମଲାକୁ ଗମ୍ଭୀରତାର ସହ ନେଇ କୂଟନୈତିକ ସ୍ତରରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଫେସବୁକ୍ ଭିଡିଓ ଆଧାରରେ ଦୁବାଇରେ ଥିବା ଭାରତୀୟ ଦୂତାବାସ ତଦନ୍ତ କରି ହସ୍ତାଙ୍କ ସ୍ପନସର ଓ କମ୍ପାନୀ ମ୍ୟାନେଜରଙ୍କୁ ଖୋଜି ବାହାର କରିଥିଲା। ଗତ ମେ ୧୨ ତାରିଖରେ ହସ୍ତାଙ୍କୁ ଭାରତୀୟ ଦୂତାବାସକୁ ହସ୍ତାନ୍ତର କରାଯାଇଥିଲା। ଦୂତାବାସ ପକ୍ଷରୁ ତାଙ୍କର ଭିସା ଓ ଶ୍ରମ ଚୁକ୍ତି ବାତିଲ କରାଯିବା ସହ ତାଙ୍କର ସମସ୍ତ ବକେୟା ଦରମା ମଧ୍ୟ ଆଦାୟ କରାଯାଇଥିଲା। ଦୁଇ ସପ୍ତାହ ପର୍ଯ୍ୟନ୍ତ ତାଙ୍କୁ ଦୂତାବାସର ଆଶ୍ରୟସ୍ଥଳୀରେ ରଖାଯିବା ସହ ଭାରତ ଫେରିବା ପାଇଁ ବିମାନ ଟିକେଟ୍ ମଧ୍ୟ ପ୍ରଦାନ କରାଯାଇଛି।

ଆକାଶବାଣୀକୁ ପ୍ରତିକ୍ରିୟା ଦେଇ ହସ୍ତା ମହାନନ୍ଦ କହିଛନ୍ତି, “ସାତ ବର୍ଷ ତଳେ ମୁଁ ଦୁବାଇ ଆସିଥିଲି। କମ୍ପାନୀ ମତେ ଘରକୁ ଯିବାକୁ ଦେଉନଥିଲା। ମୁଁ ଏକ ଫେସବୁକ୍ ଭିଡିଓ ବନେଇଥିଲି। ଦୂତାବାସ ମତେ ଖୋଜି ବାହାର କଲା, ଆଶ୍ରୟ ଦେଲା ଏବଂ ଟିକେଟ୍ ମଧ୍ୟ ଦେଲା। ମୁଁ ଏବେ ଘରକୁ ଫେରୁଛି ଏବଂ ବହୁତ ଖୁସି ଅଛି।” ଦୀର୍ଘ ଦିନର ବିଚ୍ଛେଦ ପରେ ମା’ ଏବଂ ଝିଅମାନଙ୍କର ଏହି ମିଳନ ପ୍ରବାସୀ ଭାରତୀୟଙ୍କ ପାଇଁ ଏକ ବଡ଼ ଆଶାର କିରଣ ସାଜିଛି।