ଭୁବନେଶ୍ୱର: ସମ୍ପ୍ରତି ସଂସଦରେ ଗୃହୀତ ହୋଇଥିବା ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ଆଇନ (MMDR Act) ବିରୋଧରେ ଶାଣିତ ଆକ୍ରମଣ କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏକ ଶକ୍ତିଶାଳୀ ଭିଡିଓ ବାର୍ତ୍ତା ଜାରି କରି ସେ ଓଡ଼ିଶାର ସ୍ୱାର୍ଥ, ଆର୍ଥିକ ସ୍ୱାୟତ୍ତତା ଏବଂ ଖଣିଜ ସମ୍ପଦର ସୁରକ୍ଷା ପାଇଁ ଦଳମତ ନିର୍ବିଶେଷରେ ଏକଜୁଟ୍ ହୋଇ ଲଢ଼େଇ କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି।

ନବୀନ ପଟ୍ଟନାୟକ ନିଜ ୨୪ ବର୍ଷର ଶାସନ କାଳର ସଫଳତା ସ୍ମରଣ କରାଇ କହିଛନ୍ତି ଯେ, ୨୦୦୦ ମସିହାରେ ଯେତେବେଳେ ସେ ଦାୟିତ୍ୱ ନେଇଥିଲେ, ଓଡ଼ିଶା ଦୃଢ଼ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା। ମାତ୍ର ୨୦୨୪ରେ ନବୀନ ସରକାର ବିଦାୟ ନେବା ବେଳକୁ ରାଜ୍ୟ ପାଖରେ ୫୦,୦୦୦ କୋଟି ଟଙ୍କାର ବଳକା ରାଜସ୍ୱ ଥିଲା। ଏହି ଆର୍ଥିକ ରୂପାନ୍ତରଣରେ ରାଜ୍ୟର ଖଣି ରାଜସ୍ୱ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଥିଲା।

ବିନା ଆଲୋଚନାରେ ସଂସଦରେ ଏହି ସଂଶୋଧନ ଆଇନ ଗୃହୀତ ହୋଇଥିବା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି। ନୂଆ ନିୟମ ଦ୍ୱାରା କ୍ରୋମାଇଟ୍, ବକ୍ସାଇଟ୍, ଲୁହାପଥର, କୋଇଲା ଓ ମାଙ୍ଗାନିଜ୍ ଭଳି ପ୍ରଚୁର ଖଣିଜ ସମ୍ପଦ ଉପରୁ ରାଜ୍ୟର ଟିକସ ଆଦାୟ ଅଧିକାର ପ୍ରଭାବିତ ହେବ। “ଆମ ଲୋକେ ଧୂଳି ଓ ଧୂଆଁ ସହିବେ, ଆଉ ଆମ ସମ୍ପଦରେ ଦିଲ୍ଲୀ ଧନୀ ହେବ,ଏହାକୁ ଆମେ କଦାପି ସହ୍ୟ କରିବୁ ନାହିଁ। ଆମର ଭବିଷ୍ୟତ ପିଢ଼ି ଓ ଯୁବବର୍ଗଙ୍କୁ ଆମେ କି ଉତ୍ତର ଦେବା?”

ସେ କହିଛନ୍ତି ଯେ ୨୪ ବର୍ଷ ଧରି କେନ୍ଦ୍ରର କୌଣସି ସରକାର ଓଡ଼ିଶାର ଅଧିକାର ଛଡ଼ାଇବାକୁ ସାହସ କରିନଥିଲେ। ମାତ୍ର ରାଜ୍ୟରେ ବିଜେପି ସରକାର ଆସିବାର ଦୁଇ ବର୍ଷ ମଧ୍ୟରେ ଏଭଳି ଘଟିଲା। ଓଡ଼ିଶାର ୨୦ ଜଣ ବିଜେପି ଲୋକସଭା ସାଂସଦ ରାଜ୍ୟ ସ୍ୱାର୍ଥ ରକ୍ଷାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ କେବଳ ବିଜେଡି ରାଜ୍ୟସଭାରେ ଏହାର ଦୃଢ଼ ବିରୋଧ କରିଥିଲା।

ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ତୁରନ୍ତ ସର୍ବଦଳୀୟ ବୈଠକ ଏବଂ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ସେ ଦାବି କରିଛନ୍ତି। ଶେଷରେ ନବୀନ ଘୋଷଣା କରିଛନ୍ତି, “ଏ ମାଟି ଆମର, ଏ ଖଣି ଆମର। ଓଡ଼ିଶାର ହକ୍ ପାଇଁ ମୁଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢ଼େଇ କରିବି।”