ଭୁବନେଶ୍ୱର: ଓଡ଼ିଆ ସିନେମା ଆଜି ୯୦ ବର୍ଷର ସଫର ପୂରଣ କରିଛି। ଏତେ ଦୀର୍ଘ ଯାତ୍ରା ସତ୍ତ୍ୱେ ଶିଳ୍ପରେ ପ୍ରଚୁର ସମ୍ଭାବନା ଓ ପ୍ରତିଭା ଥିଲେ ମଧ୍ୟ ଓଲିଉଡ୍ ଆଜି ବିକାଶର ଦୌଡ଼ରେ ପଛକୁ ପଡ଼ିଥିବା ଦେଖାଯାଉଛି।
କରୋନା ମହାମାରୀ ସମୟରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଗୁରୁତର ଛତିଗ୍ରସ୍ତ ହୋଇଥିଲା। ହେଲେ ୨୦୨୨ ପରେ ପୁଣି ନୂଆ ଆଶା ଦେଖାଯାଇଥିଲା। ‘ଦମନ’ ପରି ଚଳଚ୍ଚିତ୍ର ବ୍ୟବସାୟିକ ଓ ସମୀକ୍ଷାତ୍ମକ ଭାବେ ସଫଳ ହୋଇ ପ୍ରାୟ ୫ କୋଟି ଟଙ୍କା ଆୟ କରିଥିଲା। ପରେ ‘ପ୍ରତୀକ୍ଷା’ ଓ ‘କର୍ମ’ ପରି ଚଳଚ୍ଚିତ୍ରମାନେ ମଧ୍ୟ ଦର୍ଶକଙ୍କ ଆକର୍ଷଣ କରିଥିଲେ। ୨୦୨୫ ରଜରେ ମୁକ୍ତିଲାଭ କରିଥିବା ‘ବୌ, ବୁଟୁ, ଭୂତ’ ୨୦ କୋଟି ଟଙ୍କାରୁ ଅଧିକ ଆୟ କରି ନୂତନ ମାନଦଣ୍ଡ ସୃଷ୍ଟି କରିଥିଲା।
ଏହାରୁ ସ୍ପଷ୍ଟ ଯେ ଭଲ କାହାଣୀ ଓ ନିର୍ଦ୍ଦେଶନା ଥିଲେ ଦର୍ଶକଙ୍କ ଭଲପାଇବା ମିଳୁଛି। ତଥାପି ପ୍ରଶ୍ନ ଉଠୁଛି—ଏତେ ସମ୍ଭାବନା ଥିଲେ ମଧ୍ୟ ଓଡ଼ିଆ ସିନେମା କାହିଁକି ପଛକୁ?
୭୦-୮୦ ଦଶକକୁ ଓଡ଼ିଆ ସିନେମାର ସୁବର୍ଣ୍ଣ ଯୁଗ ବୋଲି ଗଣାଯାଏ। ସେତେବେଳେ ସାମାଜିକ କାହାଣୀ, ଗ୍ରାମୀଣ ପ୍ରସଙ୍ଗ ଓ ସଙ୍ଗୀତ ଦ୍ୱାରା ଏହା ଜାତୀୟ ସ୍ତରରେ ପରିଚୟ ସୃଷ୍ଟି କରିଥିଲା। କିନ୍ତୁ ପରେ କାହାଣୀର ମୋଡ଼ିକତା ହ୍ରାସ ପାଇବାରୁ ଦର୍ଶକ ଦୂରେଇଗଲେ।
ଅନ୍ୟପଟେ ଢାଞ୍ଚାଗତ ସମସ୍ୟା ମଧ୍ୟ ଗୁରୁତର। କଳିଙ୍ଗ ଷ୍ଟୁଡିଓର ଆଧୁନିକୀକରଣ କାମ ପ୍ରାୟ ସରିଥିଲେ ମଧ୍ୟ ଏହା ଏପର୍ଯ୍ୟନ୍ତ ପୂରାଦମେ ଚାଲୁ ହୋଇନାହିଁ, ଯାହାର ପ୍ରଭାବ ସୁଟିଂ ଉପରେ ପଡ଼ୁଛି।
ଚଳଚ୍ଚିତ୍ରର ବଜେଟ୍ କମ୍ ଥିବାରୁ ପ୍ରଚାରପ୍ରସାରରେ ଯଥେଷ୍ଟ ଧ୍ୟାନ ଦିଆଯାଇପାରୁନାହିଁ। ଅଧିକାଂଶ ଅର୍ଥ ନାୟକ-ନାୟିକାଙ୍କ ପାଇଁ ଖର୍ଚ୍ଚ ହେଉଥିବାରୁ ଅନ୍ୟ ଖେତ୍ରରେ ଅଭାବ ଦେଖାଯାଉଛି। ଏହା ସହିତ ଅନେକ ଜିଲ୍ଲାରେ ସିନେମା ହଲ୍ ନଥିବାରୁ ବ୍ୟବସାୟ ଉପରେ ମଧ୍ୟ ପ୍ରଭାବ ପଡ଼ୁଛି।
ଅଭିନେତା ବାବୁସାନ୍ ମହାନ୍ତି କହିଛନ୍ତି, ଓଡ଼ିଶାରେ ପ୍ରତିଭା ଓ ସୁନ୍ଦର ସୁଟିଂ ଲୋକେସନ୍ ରହିଛି, କିନ୍ତୁ ଜନସଂଖ୍ୟା କମ୍ ଥିବାରୁ ଆୟ ହ୍ରାସ ପାଉଛି। ତେଣୁ ଏବେ ଓଡ଼ିଆ ସିନେମାକୁ ଅନ୍ୟ ଭାଷାରେ ଡବିଂ କରି ଓଟିଟି ମାଧ୍ୟମରେ ଜାତୀୟ ସ୍ତରକୁ ନେବା ପାଇଁ ଚେଷ୍ଟା ହେଉଛି।
ସେହିପରି ଚଳଚ୍ଚିତ୍ର ଶିଳ୍ପର ସର୍ବାଙ୍ଗୀନ ବିକାଶ ପାଇଁ ଗତବର୍ଷ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲେ ମଧ୍ୟ ତାହାର ପ୍ରାୟୋଗିକ ପରିଣାମ ଦେଖାଯାଇନାହିଁ। ଅନେକ ନିର୍ମାତା ଓ ନିର୍ଦ୍ଦେଶକ ସରକାରୀ ଉଦାସୀନତାକୁ ମୁଖ୍ୟ ବାଧା ବୋଲି ମନେ କରୁଛନ୍ତି।




