ଭୁବନେଶ୍ୱର:

କେନ୍ଦୁଝର ଜିଲ୍ଲାକୁ ଏକ ଶକ୍ତିଶାଳୀ ଶିଳ୍ପ କେନ୍ଦ୍ରରେ ପରିଣତ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝରର ବଡ଼ବିଲ ନିକଟ ଉଚ୍ଚବାଲିରେ ୧୬୪୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୪୨୦/୨୨୦ କେଭି ଗ୍ରୀଡ୍ ସବ୍‌ଷ୍ଟେସନ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ସମୟରେ ସେ କେନ୍ଦୁଝରକୁ ପୂର୍ବ ଭାରତର ଦ୍ୱିତୀୟ ଜାମସେଦପୁର ଭାବେ ଗଢ଼ିତୋଳିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ପ୍ରକଳ୍ପ ସହିତ ୫ଟି ନୂତନ ଟ୍ରାନ୍ସମିଶନ୍‌ ଲାଇନ୍‌ ଉଦଘାଟନ ହୋଇଛି, ଯାହା ଦ୍ୱାରା କେନ୍ଦୁଝର ସଦର, ତେଲକୋଇ, ଝୁମ୍ପୁରା, ଯୋଡ଼ା ଓ ବଡ଼ବିଲ ଅଞ୍ଚଳର ପ୍ରାୟ ୭.୧୭ ଲକ୍ଷ ଉପଭୋକ୍ତା ଉପକୃତ ହେବେ। ଶିଳ୍ପ ବିକାଶ ପାଇଁ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ୍ ସେବା ଅତ୍ୟାବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ।

ସେ ଆହୁରି କହିଥିଲେ, ବଡ଼ବିଲ ଓ ପଲାଶପଙ୍ଗା ଗ୍ରୀଡ୍‌ର ଉନ୍ନତିକରଣ ସରକାରଙ୍କ ପ୍ରାଥମିକତା ରହିଛି। ‘ହଟଲାଇନ୍‌ ମେଣ୍ଟେନାନ୍ସ’ ବ୍ୟବସ୍ଥା ଆରମ୍ଭ ହେବାରୁ ବିଦ୍ୟୁତ୍ ବନ୍ଦ ନକରି ମରାମତି କାମ ସମ୍ଭବ ହେବ।

ବିଦ୍ୟୁତ୍ ପରିଚାଳନାକୁ ସ୍ମାର୍ଟ କରିବା ନେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମଞ୍ଚେଶ୍ୱରରେ ନୂତନ State Load Despatch Centre (SLDC) ରାଜ୍ୟର ବିଦ୍ୟୁତ୍ ବ୍ୟବସ୍ଥାର ‘ହାର୍ଟ’ ଭାବେ କାମ କରିବ। STAMS ପ୍ରକଳ୍ପ ମାଧ୍ୟମରେ ୭୦ଟି ଗ୍ରୀଡ୍‌କୁ ରିମୋଟ୍‌ ଭାବେ ପରିଚାଳନା କରାଯିବ।

ରାଜ୍ୟର ବିଦ୍ୟୁତ୍ ଭିତ୍ତିଭୂମି ଉନ୍ନତି ଉପରେ ଆଲୋକପାତ କରି ସେ କହିଥିଲେ, ୨୦୦୦ ମସିହାରେ ଯେଉଁଠାରେ ୧୬ ଲକ୍ଷ ଉପଭୋକ୍ତା ଥିଲେ, ଆଜି ସେହି ସଂଖ୍ୟା ୧ କୋଟିକୁ ଅତିକ୍ରମ କରିଛି। ୨୦୩୬ ସୁଦ୍ଧା ଆହୁରି ୩୪ଟି ଗ୍ରୀଡ୍ ସବ୍‌ଷ୍ଟେସନ୍‌ ସ୍ଥାପନର ଯୋଜନା ରହିଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ସ୍ଥାପନ ପାଇଁ ଜାପାନର JFE Steel କୁ ପ୍ରସ୍ତାବ ଦିଆଯାଇଥିବା ସୂଚନା ଦେଇଥିଲେ। ଭବିଷ୍ୟତରେ ଏହା ଇଲେକ୍ଟ୍ରିକାଲ୍ ଷ୍ଟିଲ୍ ଉତ୍ପାଦନରେ ସାହାଯ୍ୟ କରିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେଉଥିବା କଥା ଉଲ୍ଲେଖ କରି, ରାଜ୍ୟର ‘ଡବଲ ଇଞ୍ଜିନ୍‌’ ସରକାର ଓଡ଼ିଶାର ସମସ୍ତ ଅଞ୍ଚଳକୁ ବିକାଶର ଧାରାରେ ଆଣିବାକୁ ପ୍ରତିବଦ୍ଧ ବୋଲି ସେ କହିଥିଲେ।

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଥିଲେ, ଆଗାମୀ ଦିନରେ ସମସ୍ତ ଉପାନ୍ତ ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ପହଞ୍ଚାଇବା ଓ ସମଗ୍ର ରାଜ୍ୟର ଶକ୍ତି ବ୍ୟବସ୍ଥାକୁ ସୁଦୃଢ଼ କରିବା ସରକାରଙ୍କ ଲକ୍ଷ୍ୟ।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସାଂସଦ, ବିଧାୟକ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।