୨୨ ଜିଲ୍ଲାକୁ ମିଳିବ ଅର୍ଥ, DBT ମାଧ୍ୟମରେ ସିଧାସଳଖ ଜମା ହେବ ଟଙ୍କା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ପ୍ରାନ୍ତରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା କ୍ଷୟକ୍ଷତିର ଭରଣା ଏବଂ ପ୍ରଭାବିତଙ୍କୁ ତୁରନ୍ତ ସହାୟତା ପାଇଁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟର ୨୨ଟି ବନ୍ୟା ପ୍ରଭାବିତ ଜିଲ୍ଲା ପାଇଁ ମୋଟ ୧୧୦ କୋଟି ଟଙ୍କାର ସହାୟତା ରାଶି ମଞ୍ଜୁର କରାଯାଇଛି। ଏହି ସହାୟତା ରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି (DBT) ମାଧ୍ୟମରେ ହସ୍ତାନ୍ତର କରାଯିବ।

ବିଶେଷ କରି ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଏହି ତିନି ଜିଲ୍ଲାକୁ ସର୍ବାଧିକ ଅର୍ଥ ପ୍ରଦାନ କରାଯାଇଛି। ବାଲେଶ୍ୱର ଜିଲ୍ଲା ପାଇଁ ସର୍ବାଧିକ ୨୨.୦୩ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଯାଜପୁରକୁ ୨୦.୨୦ କୋଟି ଏବଂ ଭଦ୍ରକକୁ ୨୦.୧୨ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟରେ ଜଗତସିଂହପୁରକୁ ୮.୧୮ କୋଟି, କେନ୍ଦୁଝରକୁ ୬.୧୧ କୋଟି, ସମ୍ବଲପୁରକୁ ୫.୫୬ କୋଟି, କେନ୍ଦ୍ରାପଡ଼ାକୁ ୫.୦୪ କୋଟି ଏବଂ ମୟୁରଭଞ୍ଜକୁ ୫.୦୨ କୋଟି ଟଙ୍କା ମିଳିଛି। ଏହାବ୍ୟତୀତ ଖୋର୍ଦ୍ଧା, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର, ଢେଙ୍କାନାଳ, ବରଗଡ଼, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ, କଟକ, କୋରାପୁଟ, ମାଲକାନଗିରି, ରାୟଗଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାକୁ ମଧ୍ୟ ସହାୟତା ବାବଦକୁ ଅର୍ଥ ପ୍ରଦାନ କରାଯାଇଛି। ଚଳିତ ବର୍ଷ ସ୍ୱାଭାବିକ ଠାରୁ ପ୍ରାୟ ୬୫ ପ୍ରତିଶତ ଅଧିକ ବର୍ଷା ହୋଇଥିବାରୁ ଅନେକ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି।

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବନ୍ୟା ସ୍ଥିତିର ସମୀକ୍ଷା କରିବା ସହ ରାଜସ୍ୱ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ଆସନ୍ତାକାଲି ଅପରାହ୍ନ ୫ଟା ସୁଦ୍ଧା ସମସ୍ତ ବିଭାଗରୁ କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାସ୍ତରରୁ ରିପୋର୍ଟ ସଂଗ୍ରହ ପାଇଁ ସ୍ୱତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଘାଇ ମରାମତି ଓ ନଦୀବନ୍ଧ ସୁରକ୍ଷା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।