ଭୁବନେଶ୍ୱର: କରୋନା ମହାମାରୀ ସମୟରେ ‘ବ୍ଲାକ୍ ଫଙ୍ଗସ’ର ଆତଙ୍କ ସମସ୍ତଙ୍କୁ ଚିନ୍ତାରେ ପକାଇଥିଲା। କିନ୍ତୁ ଆପଣ ଜାଣନ୍ତି କି, ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଫଙ୍ଗାଲ୍ (କବକ ଜନିତ) ରୋଗ ଚିହ୍ନଟ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ସୁଦୃଢ଼ ହୋଇପାରିନାହିଁ। ରାଜ୍ୟର ପ୍ରମୁଖ ମେଡିକାଲ କଲେଜଗୁଡ଼ିକରେ ଲ୍ୟାବ୍ ଓ ବିଭାଗ ଥିଲେ ମଧ୍ୟ ପର୍ଯ୍ୟାପ୍ତ ସଂଖ୍ୟକ ବିଶେଷଜ୍ଞ ଏବଂ ଉନ୍ନତ ପରୀକ୍ଷା ବ୍ୟବସ୍ଥାର ଘୋର ଅଭାବ ରହିଛି। ଏମ୍ସ (AIIMS) ଭୁବନେଶ୍ୱର, ଆଇସିଏମଆର (ICMR) ଓ ଅନ୍ୟାନ୍ୟ ପ୍ରତିଷ୍ଠିତ ସଂସ୍ଥାର ଗବେଷକମାନଙ୍କ ଦ୍ୱାରା କରାଯାଇଥିବା ଏକ ନୂଆ ଅଧ୍ୟୟନରୁ ଏଭଳି ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି।
ଗବେଷକମାନେ ଓଡ଼ିଶାର ୧୯ଟି ମେଡିକାଲ କଲେଜ ଏବଂ ୨ଟି କର୍ପୋରେଟ୍ ହସ୍ପିଟାଲରେ ଫଙ୍ଗାଲ ରୋଗ ନିର୍ଣ୍ଣୟ କ୍ଷମତାର ସମୀକ୍ଷା କରିଥିଲେ। ଅଧ୍ୟୟନରୁ ମିଳିଥିବା ମୁଖ୍ୟ ତଥ୍ୟଗୁଡ଼ିକ ହେଲା ପ୍ରାୟ ୯୦.୫ ପ୍ରତିଶତ ମେଡିକାଲ କଲେଜରେ ମାଇକୋଲୋଜି ବିଭାଗ ଥିଲେ ହେଁ କୌଣସିଠାରେ ପୂର୍ଣ୍ଣକାଳୀନ ବିଶେଷଜ୍ଞ ନାହାନ୍ତି। ଅଧିକାଂଶ ସ୍ଥାନରେ ପାର୍ଟ-ଟାଇମ୍ କର୍ମଚାରୀଙ୍କ ଭରସାରେ ରୋଗ ନିର୍ଣ୍ଣୟ ଚାଲିଛି।
ମାଇକ୍ରୋସ୍କୋପି ଭଳି ସାଧାରଣ ପରୀକ୍ଷା ହେଉଥିଲେ ମଧ୍ୟ ଉନ୍ନତ ଟେଷ୍ଟ ପ୍ରାୟ ନାହିଁ। କେବଳ ୬୬.୭ ପ୍ରତିଶତ କେନ୍ଦ୍ରରେ ଫଙ୍ଗାଲ୍ କଲଚର କରାଯାଉଛି। ସଂକ୍ରମଣ ଚିହ୍ନଟ ପାଇଁ ଅତ୍ୟନ୍ତ ଜରୁରୀ ବିବେଚନା କରାଯାଉଥିବା ‘ବିଟା-ଡି-ଗ୍ଲୁକାନ’ କିମ୍ବା ‘ହିଷ୍ଟୋପ୍ଲାଜମା ଆଣ୍ଟିଜେନ’ ଭଳି ପରୀକ୍ଷା ଆଦୌ ଉପଲବ୍ଧ ନାହିଁ।
ଅଧିକାଂଶ ଲ୍ୟାବ୍ରେ ପ୍ରତି ସପ୍ତାହରେ ୫୦ରୁ ମଧ୍ୟ କମ୍ ନମୁନା ପରୀକ୍ଷା ହେଉଛି। ଏହାର ଅର୍ଥ ହେଉଛି, ଅନେକ ଫଙ୍ଗାଲ ସଂକ୍ରମଣ ମାମଲା ସମ୍ଭବତଃ ଧରାହିଁ ପଡ଼ୁନାହିଁ। କେବଳ ୪୨.9 ପ୍ରତିଶତ କେନ୍ଦ୍ରରେ ଆଣ୍ଟି-ଫଙ୍ଗାଲ ସେନ୍ସିଟିଭିଟି ଟେଷ୍ଟ ହେଉଥିବା ବେଳେ ‘ମୋଲ୍ଡ’ ସଂକ୍ରମଣ ପାଇଁ କୌଣସି ବ୍ୟବସ୍ଥା ନାହିଁ।
ସ୍ୱାସ୍ଥ୍ୟ ବିଭାଗ ଓ DMETଙ୍କ ପ୍ରତିକ୍ରିୟାଏହି ଅଧ୍ୟୟନର ରିପୋର୍ଟ ସାମ୍ନାକୁ ଆସିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହାକୁ ଗୁରୁତ୍ୱର ସହ ନେଇଛି। ଡିଏମଇଟି (DMET) କହିଛନ୍ତି ଯେ, ଗବେଷଣା ତଥ୍ୟକୁ ସେମାନେ ଅନୁଧ୍ୟାନ କରୁଛନ୍ତି ଏବଂ ଯେଉଁ ସବୁ ସ୍ଥାନରେ ତ୍ରୁଟି ବା ଅଭାବ ରହିଛି, ତାହାର ସୁଧାର ପାଇଁ ବିଚାର କରାଯିବ। ଏହା ସହିତ ଫଙ୍ଗାଲ ରୋଗ ଚିହ୍ନଟ ପ୍ରକ୍ରିୟାକୁ ଅଧିକ ସହଜ ଓ ସଠିକ୍ କରିବା ପାଇଁ ଡାକ୍ତରମାନଙ୍କ ନିମନ୍ତେ ନିୟମିତ ଭାବେ ‘କଣ୍ଟିନିଉଇଂ ମେଡିକାଲ ଏଡୁକେସନ’ (CME) କାର୍ଯ୍ୟକ୍ରମର ଆୟୋଜନ କରାଯିବ, ଯାହାଦ୍ୱାରା ସେମାନେ ନୂତନ ପ୍ରଯୁକ୍ତି ଓ ଚିକିତ୍ସା ପଦ୍ଧତି ବିଷୟରେ ଅବଗତ ହୋଇପାରିବେ।
ସାରା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୩୮ ଲକ୍ଷ ଲୋକ ଫଙ୍ଗାଲ ସଂକ୍ରମଣ ଯୋଗୁଁ ପ୍ରାଣ ହରାଉଛନ୍ତି ଏବଂ ଭାରତରେ ମଧ୍ୟ ଏହି ଗ୍ରାଫ୍ ବଢ଼ିବାରେ ଲାଗିଛି। ଯଦି ତୁରନ୍ତ ଲ୍ୟାବ୍ ଭିତ୍ତିଭୂମି, ଉପଯୁକ୍ତ ପ୍ରଶିକ୍ଷଣ ଏବଂ ଉନ୍ନତ ଟେଷ୍ଟ ବ୍ୟବସ୍ଥାକୁ ମଜବୁତ କରାନଯାଏ, ତେବେ ଆଗାମୀ ଦିନରେ ‘ଔଷଧ-ପ୍ରତିରୋଧୀ’ ଫଙ୍ଗାଲ ସଂକ୍ରମଣ ରାଜ୍ୟ ପାଇଁ ଏକ ବଡ଼ ସ୍ୱାସ୍ଥ୍ୟ ସଙ୍କଟ ପାଲଟିପାରେ।




