ଭୁବନେଶ୍ୱର: ରାଜ୍ୟର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲଗୁଡ଼ିକରେ ସୁପର ସ୍ପେଶିଆଲିଟି ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୧୫୨ଟି ନୂଆ ପଦବିକୁ ମଞ୍ଜୁରି ଦେଇଛି। ଏହି ପଦବିଗୁଡ଼ିକ ମଧ୍ୟରେ ପ୍ରଫେସର, ଆସୋସିଏଟ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଓ ସିନିୟର ରେସିଡେଣ୍ଟ ପଦ ସାମିଲ ରହିଛି।

ଏହି ନୂଆ ପଦବିଗୁଡ଼ିକ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜର କାର୍ଡିଓଲୋଜି, ନ୍ୟୁରୋଲୋଜି, ନ୍ୟୁରୋସର୍ଜେରୀ, ପ୍ଲାଷ୍ଟିକ ସର୍ଜେରୀ, ନେଫ୍ରୋଲୋଜି, କାର୍ଡିଓଭାସ୍କୁଲାର ଓ ଥୋରାସିକ ସର୍ଜେରୀ, ହେମାଟୋଲୋଜି ଓ ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ପରି ସୁପର ସ୍ପେଶିଆଲିଟି ବିଭାଗରେ ସୃଷ୍ଟି କରାଯାଇଛି।

ମଞ୍ଜୁରି ପାଇଥିବା ପ୍ରମୁଖ ଅନୁଷ୍ଠାନଗୁଡ଼ିକ ହେଲେ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ, କୋରାପୁଟର ସହିଦ ଲକ୍ଷଣ ନାୟକ ମେଡିକାଲ କଲେଜ, ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ, ବଲାଙ୍ଗିରର ଭୀମଭୋଇ ମେଡିକାଲ କଲେଜ, ବାଲେଶ୍ୱରର ଫକୀରମୋହନ ମେଡିକାଲ କଲେଜ, ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ କଲେଜ, ବୁର୍ଲାର ଭୀମସାର, କଟକର ଏସ୍‌ସିବି ମେଡିକାଲ କଲେଜ, ତାଳଚେରର ପବିତ୍ରମୋହନ ପ୍ରଧାନ ମେଡିକାଲ କଲେଜ ଏବଂ ପୁରୀର ଶ୍ରୀଜଗନ୍ନାଥ ମେଡିକାଲ କଲେଜ

ସ୍ୱାସ୍ଥ୍ୟ ବିଭାଗର ମତାନୁସାରେ, ଏହି ନିଯୁକ୍ତି ମାଧ୍ୟମରେ ସୁପର ସ୍ପେଶିଆଲିଟି ବିଭାଗରେ ବିଶେଷଜ୍ଞ ଡାକ୍ତରଙ୍କ ଉପଲବ୍ଧତା ବଢ଼ିବ। ଏହା ଫଳରେ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ସେବା ରୋଗୀମାନଙ୍କ ପାଇଁ ଅଧିକ ସହଜଲଭ୍ୟ ହେବ।

ଏହି ପଦକ୍ଷେପକୁ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ରାଜ୍ୟ ସରକାର ସମସ୍ତଙ୍କୁ ଗୁଣାତ୍ମକ ଓ ଉନ୍ନତ ସ୍ୱାସ୍ଥ୍ୟସେବା ପହଞ୍ଚାଇବାକୁ ପ୍ରତିବଦ୍ଧ। ନୂଆ ପଦବି ସୃଷ୍ଟି ମାଧ୍ୟମରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ମାନବ ସମ୍ବଳ ବୃଦ୍ଧି ପାଇବା ସହ ରାଜ୍ୟର ଚିକିତ୍ସା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ସୂଚନାନୁସାରେ, ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ୫,୧୯୭ ମେଡିକାଲ ଅଫିସର ଓ ପାରାମେଡିକାଲ କର୍ମଚାରୀ ନିଯୁକ୍ତି ପାଇଛନ୍ତି। ଏହାବ୍ୟତୀତ ୫,୯୮୯ ନର୍ସିଂ ଅଫିସର, ୨୪୦ ରେଡିଓଗ୍ରାଫର, ୧,୧୦୮ ଫାର୍ମାସିଷ୍ଟ, ୨୩୮ ଅଫଥାଲମିକ ଅଫିସର ଏବଂ ୩୮୦ ମେଡିକାଲ ଲ୍ୟାବ ଟେକ୍ନିସିଆନ ପଦବି ପାଇଁ ମଧ୍ୟ ଅନୁମୋଦନ ମିଳିଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।