ଭୁବନେଶ୍ୱର: ରାଜ୍ୟର ଆସନ୍ତା ପଞ୍ଚାୟତ ନିର୍ବାଚନ ଏଥର ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ହେବାର ସମ୍ଭାବନା ରହିଛି। ୨୦୨୭ ଜନଗଣନା ପ୍ରକ୍ରିୟା ଶେଷ ହେବା ପରେ ନିର୍ବାଚନୀ ପ୍ରକ୍ରିୟା ଆଗକୁ ବଢ଼ାଇବାକୁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି। ଏହାସହ ଚଳିତ ଥର ପ୍ରଥମଥର ପାଇଁ ଡୋର-ଟୁ-ଡୋର ସର୍ଭେ କରି ବୁଥ୍ୱାରି ଭୋଟର ତାଲିକା ପ୍ରସ୍ତୁତ କରିବାର ଯୋଜନା ରହିଛି।
ସୂଚନା ଅନୁସାରେ, ଜନଗଣନା ସମାପ୍ତ ହେବା ପରେ ଆସନ୍ତା ଏପ୍ରିଲରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇପାରେ। ଏହାପରେ ଜୁନ୍ ମାସ ସୁଦ୍ଧା ସମଗ୍ର ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି। ଏନେଇ ରାଜ୍ୟ ସରକାର ପୂର୍ବରୁ ଆର୍ଡିସି ଓ ସମସ୍ତ ଜିଲ୍ଲାପାଳଙ୍କ ସହ ବୈଠକ କରିସାରିଥିବାବେଳେ ଆସନ୍ତା ୨୧ ତାରିଖରେ ଭର୍ଚୁଆଲ୍ ମାଧ୍ୟମରେ ଆଉ ଏକ ସମୀକ୍ଷା ବୈଠକ ହେବ।
ଏହି ବୈଠକରେ ନିର୍ବାଚନ ପ୍ରସ୍ତୁତି, ଭୋଟର ତାଲିକା ସଂଶୋଧନ ଓ ପ୍ରଶାସନିକ ବ୍ୟବସ୍ଥାକୁ ନେଇ ବିସ୍ତୃତ ଆଲୋଚନା କରାଯିବ। ବିଶେଷକରି ଏଥର ନିର୍ବାଚନ ପ୍ରକ୍ରିୟାରେ ଏକ ନୂଆ ବ୍ୟବସ୍ଥା ଭାବେ ଘରକୁ ଘର ସର୍ଭେ କରାଯିବାକୁ ଯାଉଛି।
‘ଆମ ବୁଥ୍, ଆମ ବାରି’ ଅଭିଯାନ ଅଧୀନରେ ପ୍ରତ୍ୟେକ ବୁଥ୍ର ଭୋଟରଙ୍କ ସଠିକ୍ ତଥ୍ୟ ସଂଗ୍ରହ କରାଯିବ। ବର୍ତ୍ତମାନ ବହୁ ବୁଥ୍ରେ ଅନ୍ୟ ଅଞ୍ଚଳର ଭୋଟରଙ୍କ ନାମ ରହିଥିବାରୁ ମତଦାନ ହାର ପ୍ରଭାବିତ ହେଉଛି। ସର୍ଭେ ପରେ ଭୋଟର ତାଲିକାକୁ ଅଦ୍ୟତନ କରାଯିବ ଏବଂ ବୁଥ୍ଭିତ୍ତିକ ସ୍ୱଚ୍ଛ ତାଲିକା ପ୍ରସ୍ତୁତ ହେବ। ଫଳରେ ପ୍ରତ୍ୟେକ ମତଦାତା ନିଜ ଅଞ୍ଚଳର ବୁଥ୍ରେ ହିଁ ଭୋଟ୍ ଦେଇପାରିବେ।
ସରକାରଙ୍କ ମତରେ, ଏହି ପଦକ୍ଷେପ ଭୋଟର ତାଲିକାର ତ୍ରୁଟି ଦୂର କରିବା ସହ ମତଦାନ ହାର ବୃଦ୍ଧି ଏବଂ ପଞ୍ଚାୟତ ନିର୍ବାଚନକୁ ଅଧିକ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବ।




