AI ଓ ବ୍ଲକ୍ଚେନ୍ ହବ୍ ସହ ବରଗଡ଼ରେ ହେବ ‘ୱିଭର୍ସ ହାଟ’
ଭୁବନେଶ୍ୱର: ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଓ ବୟନ ସାମଗ୍ରୀକୁ ଆନ୍ତର୍ଜାତୀୟ ବଜାରରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହଯୋଗରେ ଏକ ସ୍ୱତନ୍ତ୍ର ଗ୍ଲୋବାଲ ରୋଡ୍ମ୍ୟାପ୍ ପ୍ରସ୍ତୁତ କରୁଛନ୍ତି। ରାଜ୍ୟ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଏ ନେଇ ପ୍ରକଳ୍ପ ସୂଚନା ଦିଆଯାଇଛି।
ଏହି ଯୋଜନା ଅଧୀନରେ କଟକର ଅଭିମାନପୁରରେ ୧୩.୫୧ କୋଟି ଟଙ୍କା ଏବଂ ଯାଜପୁରର ଗୋପାଳପୁରରେ ୧୫ କୋଟି ଟଙ୍କା ବ୍ୟୟରେ ଏଆଇ (AI) ଓ ବ୍ଲକ୍ଚେନ୍-ସମର୍ଥିତ ହସ୍ତତନ୍ତ ହବ୍ ପ୍ରତିଷ୍ଠା କରାଯିବ। ଏହି ହବ୍ଗୁଡ଼ିକରେ ଉତ୍ପାଦନ, ଯୋଗାଣ ଶୃଙ୍ଖଳା, ତାଲିମ, ବିପଣନ କେନ୍ଦ୍ର, ଷ୍ଟଲ୍ ଏବଂ ‘ରେଶମ ଓଡ଼ିଶା’ ଆଉଟଲେଟ୍ ରହିବ।
ସେହିପରି ବରଗଡ଼ର ଗୋବିନ୍ଦପୁରଠାରେ ୨୦ କୋଟି ଟଙ୍କା ବିନିଯୋଗରେ ୯.୩୫ ଏକର ଜମିରେ ଏକ ‘ହ୍ୟାଣ୍ଡଲୁମ୍ ଆଣ୍ଡ ଆପାରେଲ୍ ପାର୍କ’ ନିର୍ମାଣ କରାଯିବ, ଯାହା ୩୦୦ରୁ ଅଧିକ କାରିଗରଙ୍କୁ ଉତ୍ପାଦନ ସୁବିଧା ଯୋଗାଇବ। ଏହାସହ ବାଲିଜୁରୀ ବେହେରାରେ ୨୭.୫୭ କୋଟି ଟଙ୍କା ବ୍ୟୟରେ ୨,୦୦୦ ବୁଣାକାର ୟୁନିଟ୍ ସହ ଏକ ‘ୱିଭର୍ସ ହାଟ’ (Weavers’ Haat) ସ୍ଥାପନ କରାଯିବ।
ରେଶମ ଚାଷର ବିକାଶ ପାଇଁ ‘ମୁଖ୍ୟମନ୍ତ୍ରୀ ରେଶମ ଚାଷ ବିକାଶ ଯୋଜନା’ରେ ଆଗାମୀ ୫ ବର୍ଷରେ ୨୭୪.୨୨ କୋଟି ଟଙ୍କା ବିନିଯୋଗ କରାଯିବ। ଏହାଦ୍ୱାରା ତସର, ମଲବେରୀ, ମୁଗା ଓ ଏରି ରେଶମ ପ୍ରୋତ୍ସାହିତ ହେବା ସହ କେନ୍ଦୁଝରର ଭାଗମୁଣ୍ଡାଠାରେ ସ୍ପିନିଂ ୟୁନିଟ୍ର ପୁନରୁଦ୍ଧାର କରାଯିବ।
ଚଳିତ ବଜେଟ୍ରେ ଏହି କ୍ଷେତ୍ର ପାଇଁ ୩୮୨.୫୮ କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ ‘ମୁଖ୍ୟମନ୍ତ୍ରୀ ବୟନଶିଳ୍ପ ଯୋଜନା’ ଅଧୀନରେ ୫ ବର୍ଷରେ ୪୯୦.୯୫ କୋଟି ଟଙ୍କା ବିନିଯୋଗ ହେବ। ଏଥିରେ ବୟାନିକା, ଉତ୍କଳିକା, ସମ୍ବଲପୁରୀ ବସ୍ତ୍ରାଳୟର ସୁଦୃଢ଼ୀକରଣ ଏବଂ ପିପିଲିରେ ଏକ ଆଧୁନିକ ଚାନ୍ଦୁଆ ବଜାର ବିକଶିତ କରାଯିବ। ୨୦୨୪-୨୫ ବର୍ଷରେ ଓଡ଼ିଶାରୁ ୭୫୭.୩ କୋଟି ଟଙ୍କାର ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ରପ୍ତାନି ହୋଇଥିଲା।




