ଭୁବନେଶ୍ୱର: ସାମୁଦ୍ରିକ ଉତ୍ପାଦ ରପ୍ତାନି କ୍ଷେତ୍ରରେ ଓଡ଼ିଶା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ଆର୍ଥିକ ବର୍ଷ ୨୦୨୫-୨୬ରେ ରାଜ୍ୟରୁ ମୋଟ ₹୫୪୨୮.୬୭ କୋଟି ମୂଲ୍ୟର ସିଫୁଡ୍‌ ରପ୍ତାନି ହୋଇଥିବା ସୂଚନା ମିଳିଛି। ପରିମାଣ ଓ ମୂଲ୍ୟ ଆଧାରରେ ଏହା ପୂର୍ବବର୍ଷ ତୁଳନାରେ କ୍ରମଶଃ ୯.୬୩ ପ୍ରତିଶତ ଓ ୧୧.୯୦ ପ୍ରତିଶତ ବୃଦ୍ଧି ଦର୍ଶାଇଛି।

କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଯଶବୀର ସିଂହ କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ୬୪ଟି ପଞ୍ଜୀକୃତ ସିଫୁଡ୍‌ ରପ୍ତାନିକାରୀ, ୪୫ଟି ପ୍ରକ୍ରିୟାକରଣ କାରଖାନା, ଆଧୁନିକ ଶୀତଳଭଣ୍ଡାର ବ୍ୟବସ୍ଥା ଓ ୩୬ଟି ଚିଙ୍ଗୁଡ଼ି ହାଚେରି କାର୍ଯ୍ୟ କରୁଛି।

ବିଶେଷକରି ରାଜ୍ୟରେ ଭେନାମି ଚିଙ୍ଗୁଡ଼ି ଉତ୍ପାଦନ ୫୩,୬୨୮ ଟନ୍‌କୁ ପହଞ୍ଚିବା ସାମୁଦ୍ରିକ କୃଷି କ୍ଷେତ୍ରରେ ବଡ଼ ସଫଳତା ଭାବେ ଦେଖାଯାଉଛି।

ରାଜ୍ୟର ପ୍ରମୁଖ ମାଛଧରା ବନ୍ଦର ଭାବେ ପାରାଦୀପ, ଧାମରା ଓ ବଳରାମଗଡି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବାବେଳେ ବାହାବଳପୁର, ବାଲୁଗାଁ, ଚୁଡ଼ାମଣି ଓ କୋସିଆକୁ ମୁଖ୍ୟ ଲ୍ୟାଣ୍ଡିଂ ସେଣ୍ଟର ଭାବେ ଚିହ୍ନଟ କରାଯାଇଛି। ବିଶେଷତଃ ପାରାଦୀପରୁ କଣ୍ଟେନର ମାଧ୍ୟମରେ ସିଫୁଡ୍‌ ରପ୍ତାନିରେ ୧୦୭ ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଛି।

ଏମ୍‌ପିଇଡିଏ (MPEDA) ପକ୍ଷରୁ ଭିତ୍ତିଭୂମି ବିକାଶ ଓ ମୂଲ୍ୟଯୋଗ ସେବା ଯୋଗାଇ ଦିଆଯାଉଥିବାରୁ ରପ୍ତାନି କ୍ଷେତ୍ର ଆହୁରି ମଜବୁତ ହେଉଛି।

ଏହାସହ ଓଡ଼ିଶାରେ କାଜୁ, ବାଦାମ, କନ୍ଦମୂଳ, ଆମ୍ବ, ସପୁରୀ, ପଣସ, ମାଣ୍ଡିଆ, ମସଲା, ଦୁଗ୍ଧଜାତ ସାମଗ୍ରୀ, ଫୁଲ ଓ ପ୍ରକ୍ରିୟାକରଣ ଖାଦ୍ୟ ରପ୍ତାନିରେ ବି ବ୍ୟାପକ ସମ୍ଭାବନା ଥିବା କହାଯାଇଛି।

ଦେଶସ୍ତରରେ ମଧ୍ୟ ରପ୍ତାନି କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଦେଖାଯାଇଛି। ୨୦୧୪-୧୫ରୁ ୨୦୨୫-୨୬ ମଧ୍ୟରେ ଭାରତର ମୋଟ ରପ୍ତାନି ୪୬୮ ବିଲିଅନ ଡଲାରରୁ ବୃଦ୍ଧି ପାଇ ୮୬୩ ବିଲିଅନ ଡଲାରକୁ ପହଞ୍ଚିଛି। ସେଥିରୁ ସିଫୁଡ୍‌ ରପ୍ତାନିର ମୂଲ୍ୟ ୮୪୫ କୋଟି ଡଲାର ରହିଛି। ଭାରତୀୟ ସିଫୁଡ୍‌ ପାଇଁ ଆମେରିକା ଓ ଚୀନ ଏବେ ବି ସର୍ବବୃହତ ବଜାର ଭାବେ ରହିଛନ୍ତି।