ଭୁବନେଶ୍ୱର: ଜାଲ୍ ପରିଚୟପତ୍ରର ବ୍ୟବହାର ରୋକିବା ଏବଂ ପରିବହନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ଓଡ଼ିଶା ପରିବହନ ବିଭାଗ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ବର୍ତ୍ତମାନ ଠାରୁ ରାଜ୍ୟରେ ସମସ୍ତ ନୂତନ ଗାଡ଼ି ପଞ୍ଜୀକରଣ ଏବଂ ମାଲିକାନା ବଦଳ ପାଇଁ ଆଧାର କାର୍ଡ ଯାଞ୍ଚ ବାଧ୍ୟତାମୂଳକ କରାଯାଇଛି।ପରିବହନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ନୂତନ ନିୟମ ଦ୍ୱାରା ଦୁର୍ଘଟଣା, ଅପରାଧ ଏବଂ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ସମୟରେ ଗାଡ଼ିର ପ୍ରକୃତ ମାଲିକଙ୍କୁ ସହଜରେ ଚିହ୍ନଟ କରାଯାଇପାରିବ।
ସଂଶୋଧିତ ମାନକ ପରିଚାଳନା ପଦ୍ଧତି (SOP) ଅନୁସାରେ, ଗାଡ଼ି କିଣୁଥିବା ଆବେଦନକାରୀଙ୍କୁ ବୈଧ ଠିକଣା ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଦସ୍ତାବିଜ ସହିତ ନିଜର ଆଧାର ନମ୍ବର ଦେବାକୁ ହେବ।ଏଥିସହିତ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO) ଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ଯେ, ସେମାନେ ଗାଡ଼ି ପଞ୍ଜୀକରଣର ଅନୁମତି ଦେବା ପୂର୍ବରୁ ସମସ୍ତ କାଗଜପତ୍ରର ସଠିକତାକୁ ଭଲଭାବେ ଯାଞ୍ଚ କରିବେ। ଏହି ପ୍ରକ୍ରିୟାର ପ୍ରତ୍ୟେକ ସ୍ତରରେ ଅଧିକାରୀମାନଙ୍କର ଦାୟିତ୍ୱ ନିର୍ଦ୍ଧାରଣ କରାଯାଇଛି।
ପରିଚୟ ଏବଂ ଠିକଣାର ସଠିକ ଯାଞ୍ଚ ବିନା କୌଣସି ବି ଆବେଦନକୁ ଗ୍ରହଣ କରାଯିବ ନାହିଁ ବୋଲି ବିଭାଗ ସ୍ପଷ୍ଟ କରିଛି। ଏଥିସହ ନିୟମ ଉଲ୍ଲଙ୍ଘନ କରୁଥିବା କିମ୍ବା ଆବଶ୍ୟକୀୟ ଦସ୍ତାବିଜ ନଥିବା ଗାଡ଼ିଗୁଡ଼ିକୁ ମୋଟର ଯାନ ଆକ୍ଟ ଅନୁଯାୟୀ ଜବତ କରାଯିବ ବୋଲି ଚେତାବନୀ ଦିଆଯାଇଛି।ଏହି ଡିଜିଟାଲ୍ ବ୍ୟବସ୍ଥା ଦ୍ୱାରା ପୋଲିସ ଏବଂ ଏନଫୋର୍ସମେଣ୍ଟ ଟିମ୍ ଯେକୌଣସି ଅପରାଧିକ ମାମଲା କିମ୍ବା ସଡ଼କ ଦୁର୍ଘଟଣାର ତଦନ୍ତ ସମୟରେ ଗାଡ଼ି ମାଲିକଙ୍କ ପାଖରେ ତୁରନ୍ତ ପହଞ୍ଚିପାରିବେ।
ନୂତନ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ସାରା ରାଜ୍ୟରେ ଏନଫୋର୍ସମେଣ୍ଟ ସ୍କ୍ୱାଡ୍କୁ ସତର୍କ କରାଯାଇଛି। ଏହି ପଦକ୍ଷେପ ଓଡ଼ିଶାର ପରିବହନ କ୍ଷେତ୍ରରେ ଜନସାଧାରଣଙ୍କ ସୁରକ୍ଷାକୁ ଅଧିକ ମଜବୁତ କରିବ ବୋଲି ଆଶା କରାଯାଉଛି।




