ପୁରୀ: ଶ୍ରୀମନ୍ଦିରର ସୁରକ୍ଷା ଓ ମହାପ୍ରସାଦର ପବିତ୍ରତାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ପକ୍ଷରୁ ଶ୍ରୀମନ୍ଦିରର ପବିତ୍ର ରୋଷଘରୁ ୩୦ ପ୍ୟାକେଟ୍ ଅଣଅନୁମୋଦିତ ଘିଅ ଜବତ କରାଯାଇଛି।

ସୂଚନା ଅନୁଯାୟୀ, ଆଜି କିଛି ବ୍ୟକ୍ତି ବେଆଇନ ଭାବେ ଏହି ଘିଅ ପ୍ୟାକେଟ୍ ଗୁଡ଼ିକୁ ରୋଷଘର ଭିତରକୁ ନେବାକୁ ଚେଷ୍ଟା କରୁଥିବା ବେଳେ ସୁରକ୍ଷାକର୍ମୀମାନେ ନିୟମିତ ଯାଞ୍ଚ ସମୟରେ ଏହାକୁ ଧରିଥିଲେ। ଯାଞ୍ଚ ପରେ ଜଣାପଡ଼ିଥିଲା ଯେ ଏହି ଘିଅ ପ୍ରଶାସନ ଦ୍ୱାରା ସ୍ୱୀକୃତିପ୍ରାପ୍ତ ‘ଓମଫେଡ୍’ (OMFED) ବ୍ରାଣ୍ଡର ନୁହେଁ। ଶ୍ରୀମନ୍ଦିର ନିୟମ ଅନୁଯାୟୀ, ମହାପ୍ରସାଦ ପ୍ରସ୍ତୁତି ପାଇଁ କେବଳ ଓମଫେଡ୍ ଘିଅ ବ୍ୟବହାର କରିବା ବାଧ୍ୟତାମୂଳକ ଏବଂ ଅନ୍ୟ କୌଣସି ବ୍ରାଣ୍ଡର ଘିଅ ମନ୍ଦିର ପରିସରକୁ ଆଣିବା ସମ୍ପୂର୍ଣ୍ଣ ନିଷେଧ।

ଏହି ଘଟଣା ପରେ ସଂପୃକ୍ତ ସୁଆର ସେବକଙ୍କ ଭୂମିକାକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ଏହା ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର ଅଛି କି ନାହିଁ, ସେ ନେଇ ମଧ୍ୟ ପ୍ରଶାସନ ଖୋଳତାଡ଼ କରୁଛି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହି ଅଭାବନୀୟ ଘଟଣା ପରେ ରୋଷଘର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି, ଯଦ୍ୱାରା ମହାପ୍ରସାଦର ମାନ ଓ ଭକ୍ତଙ୍କ ଆସ୍ଥା ଅକ୍ଷୁର୍ଣ୍ଣ ରହିପାରିବ।