କୋରାପୁଟ/ମାଲକାନଗିରି, ୫ ସେପ୍ଟେମ୍ବର: ଗୁରୁଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ୮୧ ଜଣ ଆଦର୍ଶ ଶିକ୍ଷକଙ୍କୁ ‘ଜାତୀୟ ଶିକ୍ଷକ ପୁରସ୍କାର’ରେ ସମ୍ମାନିତ କରିଛନ୍ତି। ଏଥିରେ ଓଡ଼ିଶାର ଦୁଇଜଣ ଶିକ୍ଷକ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛନ୍ତି।
କୋରାପୁଟ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ତରୁଣ କୁମାର ଦାଶ ଭାଷା ଶିକ୍ଷାରେ ନବୀନ ପ୍ରୟୋଗ, ‘ମାଇ ରିଡିଂ ବୁକ୍’, ‘ମାଇ ପିକ୍ଚର ମାଇ ଷ୍ଟୋରୀ’, ‘ନ୍ୟୁଜ୍ ନେଷ୍ଟ’ ଭଳି ଉଦ୍ୟମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କର ସୃଜନଶୀଳତା, ସାକ୍ଷରତା ଓ ଯୋଗାଯୋଗ କୌଶଳ ବୃଦ୍ଧି କରିଥିବା ପାଇଁ ପୁରସ୍କୃତ ହୋଇଛନ୍ତି। ସେ ମିଲେଟ୍ କ୍ରାନ୍ତି ଅଭିଯାନକୁ ବିଦ୍ୟାଳୟରେ ପ୍ରାୟୋଗ କରି ସ୍ୱାସ୍ଥ୍ୟ, ପୋଷଣ ଏବଂ ସାଂସ୍କୃତିକ ସଚେତନତାକୁ ଉତ୍ସାହିତ କରିଛନ୍ତି।
ମାଲକାନଗିରି କୋଣ୍ଡେଲ ସରକାରୀ ନୋଡାଲ ଉନ୍ନତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବସନ୍ତ କୁମାର ରଣା ସୃଜନଶୀଳ ଶିକ୍ଷାଦାନ ପ୍ରଣାଳୀ ଏବଂ ସମାଜ ସହଭାଗିତାରେ ନୂଆ ପଥ ଦେଖାଇଥିବା ପାଇଁ ପୁରସ୍କୃତ ହୋଇଛନ୍ତି। ସେ ‘ଟକିଂ ୱାଲ୍ସ’, ‘ପଥର ବର୍ଣ୍ଣମାଳା ଓ ସଂଖ୍ୟା ବଗିଚା’ ଭଳି ପ୍ରୟୋଗରେ ବିଦ୍ୟାଳୟ ପରିସରକୁ ସୃଜନଶୀଳ ଶିକ୍ଷା କେନ୍ଦ୍ରରେ ପରିଣତ କରିଛନ୍ତି। ସେଥିସହିତ ପଥପ୍ରାନ୍ତ ସଭା, ସଚେତନତା ଶୋଭାଯାତ୍ରା, ଗୋଷ୍ଠୀ ପାଠାଗାର ଭଳି ପ୍ରୟାସରେ ବିଦ୍ୟାଳୟ-ସମାଜ ସମ୍ପର୍କକୁ ସୁଦୃଢ଼ କରିଛନ୍ତି।
ରାଷ୍ଟ୍ରପତିଙ୍କ ହାତରୁ ଏହି ସମ୍ମାନ ପାଇବାରେ ଓଡ଼ିଶାର ଦୁଇଜଣ ଗୁରୁଜିଙ୍କ ଉଦ୍ୟମ ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କରିଛି।