କଟକ: କଟକ ବାଲିଯାତ୍ରାରେ ଗୁରୁବାର ରାତିରେ ଏକ ଦୁଃଖଦ ଅଘଟଣ ଘଟିଛି। ଦୋଳି ଖେଳୁଥିବା ସମୟରେ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ବାଲିଯାତ୍ରା ପଡ଼ିଆରେ ଉପସ୍ଥିତ ଦର୍ଶକଙ୍କ ମଧ୍ୟରେ କିଛି ସମୟ ପାଇଁ ଆତଙ୍କ ଓ ଚାଞ୍ଚଲ୍ୟ ଖେଳିଯାଇଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗୁରୁବାର ରାତିରେ ସମ୍ପୃକ୍ତ ଯୁବକ ଜଣକ ବାଲିଯାତ୍ରା ପଡ଼ିଆରେ ଥିବା ଏକ ଦୋଳିରେ ଚଢ଼ିଥିଲେ। ଦୋଳିଟି ଚାଲୁଥିବା ସମୟରେ ସେ ଗୋଟିଏ ସିଟ୍‌ରୁ ଅନ୍ୟ ଏକ ସିଟ୍‌କୁ ଯିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ହଠାତ୍ ତାଙ୍କର ଭାରସାମ୍ୟ ବିଗିଡ଼ି ଯାଇଥିଲା ଏବଂ ସେ ଦୋଳିରୁ ଖସି ସିଧାସଳଖ ତଳେ ପଡ଼ିଯାଇଥିଲେ।

ଉଚ୍ଚରୁ ତଳେ ପଡ଼ିଯିବା ଫଳରେ ଯୁବକଙ୍କ ମୁଣ୍ଡ ଓ ଶରୀରରେ ଗଭୀର ଆଘାତ ଲାଗିଥିଲା। ତାଙ୍କ କାନ ଏବଂ ନାକରୁ ପ୍ରବଳ ରକ୍ତସ୍ରାବ ହେବା ସହ ସେ ଘଟଣାସ୍ଥଳରେ ହିଁ ଅଚେତ ହୋଇପଡ଼ିଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ବାଲିଯାତ୍ରା ପଡ଼ିଆ ଭିତରେ ଥିବା ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନିଆଯାଇଥିଲା। ତେବେ ସେଠାରେ ତାଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ଉଚ୍ଚତର ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ମୃତ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯିବା ସହ ତାଙ୍କର ପରିଚୟ ଜାଣିବା ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି। କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ଏବଂ ଦୋଳି ପରିଚାଳନାରେ କୌଣସି ସୁରକ୍ଷା ତ୍ରୁଟି ରହିଥିଲା କି ନାହିଁ, ସେନେଇ ପୁଲିସ ଅଧିକ ତଦନ୍ତ ଚଳାଇଛି।