କଟକ, ୫ ସେପ୍ଟେମ୍ବର: ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସ୍ପଷ୍ଟ କରିଛନ୍ତି ଯେ, ମିଳିତ ସମ୍ପତ୍ତିରେ ଥିବା ଜଣେ ଅଂଶୀଦାର ନିଜ ଅଂଶକୁ ଅନ୍ୟଙ୍କ ଅନୁମତି ବିନା ବିକ୍ରି କରିପାରିବେ।

ଭଦ୍ରକର ବସୁଦେବପୁରର ସବ-ରେଜିଷ୍ଟ୍ରାର ପଦ୍ମିନୀ ବାରିକଙ୍କ ବିକ୍ରୟ ଦଲିଲ ଗ୍ରହଣ କରିବାକୁ ଅସ୍ୱୀକାର କରିଥିଲେ। ପଦ୍ମିନୀ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା କରିଥିଲେ। ବିଚାରପତି ଆନନ୍ଦ ଚନ୍ଦ୍ର ବେହେରା ଅଗଷ୍ଟ ୨୫ରେ ଦେଇଥିବା ରାୟରେ କହିଛନ୍ତି, ସମ୍ପତ୍ତି ହସ୍ତାନ୍ତର ଆଇନ, ୧୮୮୨ର ଧାରା ୪୪ ଅନୁସାରେ ଏହି ସମ୍ପତ୍ତି ବିକ୍ରୟ ବୈଧ।

କୋର୍ଟ ସ୍ପଷ୍ଟ କରିଛି, ସବ-ରେଜିଷ୍ଟ୍ରାରଙ୍କ ପାଇଁ ମୌଖିକ ଭାବରେ ଦଲିଲ ଗ୍ରହଣ ଅସ୍ୱୀକାର କରିବା ଆଇନସଙ୍ଗତ ନୁହେଁ। ଯଦି କୌଣସି ଦଲିଲ ପଞ୍ଜୀକରଣ ପାଇଁ ଅଯୋଗ୍ୟ ଥାଏ, ତାହାର କାରଣ ଲିଖିତ ଭାବେ ଦେବା ଆବଶ୍ୟକ। ଏହା ଭାରତୀୟ ପଞ୍ଜୀକରଣ ଆଇନ, ୧୯୦୮ ଓ ଓଡ଼ିଶା ପଞ୍ଜୀକରଣ ନିୟମ, ୧୯୮୮ ଅନୁଯାୟୀ ହେବ।

କୋର୍ଟ ଆଦେଶ ଦେଇଛି ଯେ, ପଦ୍ମିନୀଙ୍କ ବିକ୍ରୟ ଦଲିଲ ପ୍ରଦାନ କଲେ ସବ-ରେଜିଷ୍ଟ୍ରାର ତାହାକୁ ଗ୍ରହଣ କରି, ତିନି ଦିନ ମଧ୍ୟରେ ପଞ୍ଜୀକରଣ ପରେ ଦଲିଲ ଫେରାଇ ଦେବେ।

ଏହି ରାୟ ଅଂଶୀଦାରଙ୍କ ଆଇନଗତ ଅଧିକାରକୁ ସୁଦୃଢ଼ କରିଥିବା ସହିତ ଆଗାମୀ ଦିନରେ ମିଳିତ ସମ୍ପତ୍ତିରେ ଆଇନଗତ ସ୍ଥିତିକୁ ସ୍ପଷ୍ଟ କରିବ ବୋଲି ବିଶେଷଜ୍ଞମାନଙ୍କ ମତ।