ଭୁବନେଶ୍ୱର: ଓଡ଼ିଶାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଏବଂ ବିଜେପିର ନୂଆ ଟିମ୍ ଗଠନ ନେଇ ସଭାପତି ମନମୋହନ ସାମଲ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି, “ରାଜନୀତିରେ କିଛି ବି ଲୁଚାଛପାରେ ହୁଏ ନାହିଁ। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କିମ୍ବା ନୂଆ ଟିମ୍—ସବୁକିଛି ଖୋଲା ଭାବରେ ହେବ।”
ସାମଲ ଦିଲ୍ଲୀ ଗସ୍ତରୁ ଫେରିବା ପରେ କହିଛନ୍ତି, ବିଜେପିକୁ କୌଣସି “ଗ୍ରହଣ” ଲାଗିନାହିଁ, ଠିକ ସମୟରେ ଟିମ୍ ଗଠନ କରାଯିବ। କେନ୍ଦ୍ରୀୟ ନେତୃତ୍ୱ ଓ ରାଜ୍ୟ ପ୍ରଭାରୀଙ୍କ ସହିତ ଦିଲ୍ଲୀରେ ବୈଠକ ହୋଇଥିବା ସେ କହିଛନ୍ତି।
ଆଗାମୀ ସପ୍ତାହରେ ବିଜେପିର ନୂଆ ଟିମ୍ ଘୋଷଣା ହେବ ବୋଲି ଚର୍ଚ୍ଚା ରହିଛି। ଏହାରେ ପ୍ରତିକ୍ରିୟା ଦେଇ ସାମଲ ସ୍ପଷ୍ଟ କରିଛନ୍ତି, “ବିଳମ୍ବେ କାର୍ଯ୍ୟ ସିଦ୍ଧି, ସମୟ ହେଉଛି ବଳବାନ। ଠିକ ସମୟରେ ନୂଆ ଟିମ୍ର ଗଠନ ହେବ।”
ବିଜେଡିର ଅଭିଯୋଗ—ବିଜେପି କୌଣସି ନିଷ୍ପତ୍ତି ନେଇପାରୁନାହିଁ—କୁ ଖଣ୍ଡନ କରି ସାମଲ କହିଛନ୍ତି, “ବିଜେଡି ନିଷ୍ପତ୍ତି ନେଇପାରୁନଥିଲା ବୋଲି ସରକାରରୁ ପଳାଇଗଲା। କିନ୍ତୁ ଆମେ ନିଷ୍ପତ୍ତି ନେଇଛୁ, ସରକାର ସୁଚାଳିତ ଅଛି।”