ନୂଆଦିଲ୍ଲୀ: ପଞ୍ଜାବ ଓ ହିମାଚଳ ପ୍ରଦେଶରେ ବନ୍ୟା ପରିସ୍ଥିତି ଭୟାବହ ରୂପ ନେଇଛି। ପ୍ରକୃତିର କୋପରେ ଏହି ଦୁଇଟି ରାଜ୍ୟର ହଜାରହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱୟଂ ପ୍ରଭାବିତ ଅଞ୍ଚଳ ବୁଲି ପରିସ୍ଥିତି ସମୀକ୍ଷା କରିବେ।

ସୂଚନା ଅନୁସାରେ, ଆସନ୍ତାକାଲି ଦିନ ୧.୩୦ରେ ମୋଦୀ ହିମାଚଳର କାଙ୍ଗଡ଼ା ପହଞ୍ଚିବେ। ସେଠାରେ ସେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧିକାରୀଙ୍କୁ ଭେଟିବେ, ବନ୍ୟା ପ୍ରଭାବିତ ଲୋକଙ୍କ ସହ କଥାହେବେ ଏବଂ NDRF-SDRF ଦଳ ସହିତ ସମୀକ୍ଷା କରିବେ। ତା’ପରେ ବିକେଳ ୩ଟାରେ ପଞ୍ଜାବର ବନ୍ୟା ପ୍ରଭାବିତ ଅଞ୍ଚଳର ଏରିଏଲ ସର୍ଭେ କରିବେ।

ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ କହିଛନ୍ତି, ବନ୍ୟାରେ ପ୍ରାୟ ୫ ହଜାର କୋଟି ଟଙ୍କାର କ୍ଷତି ହୋଇଛି ଏବଂ ସେହିପାଇଁ କେନ୍ଦ୍ର ସରକାରଙ୍କୁ ସ୍ୱତନ୍ତ୍ର ପ୍ୟାକେଜ୍‌ର ଆଶା ରହିଛି। ପଞ୍ଜାବ ସରକାର ମଧ୍ୟ କେନ୍ଦ୍ରରୁ ୨୫ ହଜାର କୋଟି ଟଙ୍କାର ସହାୟତା ଆଶା କରୁଛି।

ସର୍ଭେ ପରେ ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୪.୧୫ରେ ପଞ୍ଜାବର ଗୁରୁଦାସପୁର ପହଞ୍ଚି ବରିଷ୍ଠ ଅଧିକାରୀ, ବନ୍ୟା ପ୍ରଭାବିତ ଲୋକ ଏବଂ ରେସ୍କ୍ୟୁ ଟିମ୍‌ମାନଙ୍କ ସହିତ ଆଲୋଚନା କରିବେ।