ଭୁବନେଶ୍ୱର: ପଶ୍ଚିମ ବଙ୍ଗୋପସାଗରରେ ପୁଣି ଏକ ନୂଆ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ବୃଦ୍ଧି ପାଇଛି। ସପ୍ତାହ ଶେଷ ଆଡକୁ ଏହା ଗଠିତ ହେବାର ପୂର୍ବାନୁମାନ ରହିଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସହ, କେତେକ ସ୍ଥାନରେ ବଜ୍ରପାତ ଓ ଘଡ଼ଘଡ଼ି ସମ୍ଭାବନା ରହିଛି ବୋଲି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ୍ ସୂଚନା ଦେଇଛନ୍ତି।
ବର୍ତ୍ତମାନ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାରୁ, ରାଜ୍ୟର ବିଭିନ୍ନ ସ୍ଥାନରେ ଆଗରୁ ହିଁ ବର୍ଷା ଲାଗି ରହିଛି। ପାଣିପାଗ ବିଭାଗ ଆଜିଠାରୁ ବର୍ଷା ପରିମାଣ ବୃଦ୍ଧି ପାଇବାର ପୂର୍ବାନୁମାନ କରିଛି।
ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି, ୧୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କିଛି ସ୍ଥାନରେ ୪୦ରୁ ୫୦ କିମି ବେଗରେ ପବନ ବହିପାରେ। ବିଶେଷତଃ, ମାଲକାନାଗିରି ଜିଲ୍ଲା ପାଇଁ ୧୨ ସେପ୍ଟେମ୍ବରରେ ଅରେଞ୍ଜ ଆଲର୍ଟ ଜାରି ହୋଇଛି, କାରଣ ସେଠାରେ ଅତିପ୍ରବଳ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହେବାର ଆଶଙ୍କା ରହିଛି।
ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡ଼ିଛି ଯେ ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଚାଲିଥିବ।