ଭୁବନେଶ୍ୱର: ଅକ୍ଟୋବର ମାସ ଆସିବା ସହିତ ଓଡିଶାରେ ବାତ୍ୟା ଆଶଙ୍କା ବଢ଼ିଛି। ପାଣିପାଗ ବିଭାଗ (IMD)ର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ସାଧାରଣତଃ ବଙ୍ଗୋପସାଗରରେ ଅଧିକ ସଂଖ୍ୟାରେ ବାତ୍ୟା ସୃଷ୍ଟି ହୁଏ। ପ୍ରତିବର୍ଷ ଏହି ସମୟରେ ବଙ୍ଗୋପସାଗର ଏବଂ ଆରବସାଗରରେ ୫ଟି ବାତ୍ୟା ସୃଷ୍ଟି ହେଉଥାଏ, ଯାହାରୁ ୩ଟି ସାଧାରଣତଃ ଅକ୍ଟୋବର-ଡିସେମ୍ବର ମଧ୍ୟରେ ହୁଏ।
ଏହିବେଳେ ଏପର୍ଯ୍ୟନ୍ତ ବଙ୍ଗୋପସାଗର କିମ୍ବା ଆରବସାଗରରେ କୌଣସି ବାତ୍ୟା ହୋଇନଥିଲେମଧ୍ୟ, ଆଗାମୀ ମାସଗୁଡିକରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇଦିଆଯାଇପାରିବ ନାହିଁ। ପ୍ରଶାନ୍ତ ମହାସାଗରରେ ଲା-ନିନା ସୃଷ୍ଟି ହେଲେ, ତାର ପ୍ରଭାବ ବଙ୍ଗୋପସାଗର ଉପରେ ପଡ଼ିପାରେ। ସେହିପାଇଁ ବାତ୍ୟା ସମ୍ଭାବନାକୁ ନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଡିଜି ମହାପାତ୍ର ସ୍ପଷ୍ଟ କରିଛନ୍ତି—“କେବେ ବାତ୍ୟା ହେବ, କେଉଁଠି ସୃଷ୍ଟି ହେବ, ଏବେଠାରୁ କହିବା ସମ୍ଭବ ନୁହେଁ। ଆମେ ପ୍ରସ୍ତୁତ ଅଛୁ, ସମୟରେ ସୂଚନା ଦେବୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ।”
ଏହା ସହିତ, ମୌସୁମୀ ବିଦାୟ ପ୍ରକ୍ରିୟା ଆରମ୍ଭ ହୋଇଛି। ପଶ୍ଚିମ ରାଜସ୍ଥାନରୁ ମୌସୁମୀ ପ୍ରତ୍ୟାହାର ପାଇଁ ପାଗ ଅନୁକୂଳ ରହିଛି। ଏପଟେ, ଓଡିଶାରେ ଲଘୁଚାପର ପ୍ରଭାବରେ ବର୍ଷା ଚାଲିଛି।
ସମଗ୍ର ଓଡିଶା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି, ଯେଉଁଥିରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କଳାହାଣ୍ଡି, ରାୟଗଡ଼ା ଓ ନବରଙ୍ଗପୁରରେ ଅଧିକ ବର୍ଷାର ସମ୍ଭାବନା ରହିଛି। ଆସନ୍ତାକାଲି ମଧ୍ୟ ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ରାୟଗଡ଼ାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ପାଣିପାଗ ବିଭାଗ ଅନୁସାରେ, ସେପ୍ଟେମ୍ବର ୧୮ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ଆଶଙ୍କା ରହିଛି।