ମୁମ୍ବାଇ: ହିଣ୍ଡନବର୍ଗ ବିବାଦରେ ପୁଞ୍ଜି ବଜାର ନିୟନ୍ତ୍ରକ ସେବି (SEBI) ଆଦାନୀ ଗ୍ରୁପକୁ କ୍ଲିନଚିଟ୍ ପ୍ରଦାନ କରିଛି। ସେବିର ତଦନ୍ତରେ ଆଦାନୀ ଗ୍ରୁପ ବିରୋଧରେ ହିଣ୍ଡନବର୍ଗ ଦ୍ୱାରା ତୋଳା ଅଭିଯୋଗର କୌଣସି ପ୍ରମାଣ ମିଳିନାହିଁ ବୋଲି ସ୍ପଷ୍ଟ କରାଯାଇଛି।

୨୦୨୩ରେ ଆମେରିକା ଭିତ୍ତିକ ହିଣ୍ଡନବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପ ବିରୋଧରେ ଗୁରୁତର ଅଭିଯୋଗ କରିଥିଲା। ସେଥିରେ କୁହାଯାଇଥିଲା ଯେ, ଗ୍ରୁପ କମ୍ପାନୀମାନେ ସେୟାର ମୂଲ୍ୟକୁ କୃତ୍ରିମ ଭାବେ ବଢ଼ାଇଛନ୍ତି ଏବଂ ଅତ୍ୟଧିକ ଋଣ ଉପରେ ନିର୍ଭର କରିଛନ୍ତି। ରିପୋର୍ଟ ପ୍ରକାଶ ପରେ ଆଦାନୀ ଗ୍ରୁପର ମାର୍କେଟ ଭାଲ୍ୟୁରେ ବହୁତ ବଡ଼ ହ୍ରାସ ହୋଇଥିଲା ଓ ନିବେଶକମାନେ ଭାରି ଚିନ୍ତିତ ହୋଇଥିଲେ।

ତା’ପରେ ସେବି ଏହି ଅଭିଯୋଗକୁ ନେଇ ବିସ୍ତୃତ ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ, ତଦନ୍ତରେ କୌଣସି ଅଭିଯୋଗ ପ୍ରମାଣିତ ହୋଇନଥିବାରୁ ଆଦାନୀ ଗ୍ରୁପକୁ ନିର୍ଦୋଷ ଘୋଷଣା କରାଗଲା।

ଏହି ନିଷ୍ପତ୍ତି ପରେ ଆଦାନୀ ଗ୍ରୁପ ଆଶ୍ୱସ୍ତ ହୋଇଛି ଏବଂ କମ୍ପାନୀ ପୁଣିଥରେ ନିବେଶକଙ୍କ ବିଶ୍ୱାସ ହାସଲ କରିବାକୁ ସକ୍ଷମ ହେବ ବୋଲି ଆଶା କରାଯାଉଛି।