ଭୁବନେଶ୍ୱର: ଦଳରେ ରହି ବିରୋଧୀ ମତ ପ୍ରକାଶ କରିବାର ମୂଲ୍ୟ ଦେବାକୁ ପଡ଼ିଲା ବିଜେଡି ମହିଳା ବ୍ୟାପାର ସାଧାରଣ ସଂପାଦକ ଶ୍ରୀମୟୀ ମିଶ୍ରଙ୍କୁ। ଆଜି ବିଜେଡି ପକ୍ଷରୁ ତାଙ୍କୁ ନିଲମ୍ବନ କରାଗଲା। ବିଜେଡି ଉପସଭାପତି ପ୍ରତାପ ଜେନା ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଶ୍ରୀମୟୀ ସହିତ ମୟୂରଭଂଜ ଜିଲ୍ଲାର କପ୍ତିପଦା ବ୍ଲକ ସଭାପତି ସୁବାଷ ଚନ୍ଦ୍ର ସାୟ ଓ ପୂର୍ବତନ ଜିଲ୍ଲା ସଂପାଦକ ପ୍ରବୀର ଚନ୍ଦ୍ର ସାଇଙ୍କୁ ମଧ୍ୟ ଦଳରୁ ନିଲମ୍ବିତ କରାଯାଇଛି।
ସୂଚନା ମିଳିଛି, ଶ୍ରୀମୟୀ ପ୍ରତିକ୍ରମରେ ସୋସିଆଲ୍ ମିଡିଆରେ ଏକାଧିକ ପୋଷ୍ଟ କରିଥିଲେ ଯାହା ରାଜନୀତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଥିଲା। ସେ ‘ଧୃତରାଷ୍ଟ୍ର’ ଓ ‘ସନ୍ନ୍ୟାସୀ’ ଉପାଖ୍ୟାନ ଉଦ୍ଧୃତ କରିଥିବା ସହିତ, ନାରୀ ସମ୍ମାନ, ସହନଶୀଳତା ଓ ମା’ ଦୁର୍ଗାଙ୍କ ଆରାଧନାକୁ ନେଇ ତୀକ୍ଷ୍ଣ ଟୀକାଟିପ୍ପଣୀ କରିଥିଲେ।
ତାଙ୍କର ପୋଷ୍ଟରେ ସ୍ପଷ୍ଟ ଭାବରେ ନାରୀ ସଶକ୍ତୀକରଣ, ଅନ୍ୟାୟର ବିରୋଧରେ ସଂଘର୍ଷ ଓ ‘ଭଣ୍ଡ ସନ୍ନ୍ୟାସୀ’ ପ୍ରଥାକୁ ନେଇ କଥା ଥିଲା। ଏହାକୁ ଦଳବିରୋଧୀ ମନୋଭାବ ବୋଲି ମାନି ବିଜେଡି କଠୋର ମନୋଭାବ ନେଇଛି।
ଶ୍ରୀମୟୀଙ୍କ ପୋଷ୍ଟକୁ ନେଇ କେବଳ ଦଳରେ ନୁହେଁ, ସମଗ୍ର ରାଜନୀତିକ ପରିବେଶରେ ମଧ୍ୟ ଚର୍ଚ୍ଚା ଚାଲିଛି।