ନୂଆଦିଲ୍ଲୀ: ପଞ୍ଜାବୀ ଗାୟକ-ଅଭିନେତା ଦିଲଜିତ୍ ଦୋସାଞ୍ଜ, ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିରଙ୍କ ସହ ତାଙ୍କ ଫିଲ୍ମ ସରଦାରଜୀ ୩କୁ ନେଇ ସୃଷ୍ଟି ହୋଇଥିବା ବିବାଦ ପରେ ନୀରବତା ଭାଙ୍ଗିଛନ୍ତି। ମାଲେସିଆରେ କନସର୍ଟ ସମୟରେ ସେ ସ୍ପଷ୍ଟ କରିଥିଲେ ଯେ, ଫିଲ୍ମର ସୁଟିଂ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ସମାପ୍ତ ହୋଇଥିଲା। ତଥାପି, ଫିଲ୍ମ ଉପରେ ପ୍ରତିବନ୍ଧ ଲାଗିଲା କିନ୍ତୁ ଆକ୍ରମଣ ପରେ ଭାରତ-ପାକିସ୍ତାନ ମ୍ୟାଚ୍ ଆୟୋଜିତ ହେଲା।
ସୋସିଆଲ ମିଡିଆରେ ଦିଲଜିତ୍ଙ୍କ ଏକାଧିକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ଜାତୀୟ ପତାକାକୁ ସଲାମ କରୁଥିବା ସହ “ଏହା ମୋ ଦେଶର ପତାକା, ସର୍ବଦା ସମ୍ମାନ କର” ବୋଲି କହୁଛନ୍ତି। ପରେ ସେ କହିଥିଲେ ଯେ, “ମୋର ଫିଲ୍ମ ସୁଟିଂ ଫେବ୍ରୁଆରିରେ ହୋଇଥିଲା, କିନ୍ତୁ ୨୨ ଏପ୍ରିଲରେ ପହଲଗାମ୍ରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ମୃତ୍ୟୁବରଣ କଲେ। ଆମେ ସର୍ବଦା ପ୍ରାର୍ଥନା କରିଆସୁଛୁ ଯେ, ଦୋଷୀମାନେ କଠୋର ଶାସ୍ତି ପାଆନ୍ତୁ। ପ୍ରଶ୍ନ ଏଠିକି—ମୋର ଫିଲ୍ମ ସୁଟିଂ ପୂର୍ବରୁ ଥିଲା, କିନ୍ତୁ ଆକ୍ରମଣ ପରେ ମ୍ୟାଚ୍ ହେବାକୁ କାହିଁକି ଅନୁମତି ଦିଆଗଲା?”
ସେ ଏହା ସହିତ ଭାରତୀୟ ଗଣମାଧ୍ୟମଙ୍କୁ ଲକ୍ଷ୍ୟ କରି କହିଥିଲେ, “ମୋତେ ଦେଶବିରୋଧୀ ଭାବରେ ପ୍ରଚାର କରିବାକୁ ମିଡିଆ ପୁରାଚେଷ୍ଟା କରିଥିଲା। କିନ୍ତୁ ପଞ୍ଜାବୀ ଓ ଶିଖ୍ ସମ୍ପ୍ରଦାୟ କେବେବି ଦେଶ ବିରୋଧରେ ଯିବେ ନାହିଁ।”