ନୂଆଦିଲ୍ଲୀ: ଏକ ସମୟରେ ସାରା ବିଶ୍ୱରେ ଯୁବମାନଙ୍କ ମନରେ ରାଜ କରୁଥିବା ଏମ୍ ଟିଭି ର ପାଞ୍ଚଟି ପ୍ରତିଷ୍ଠିତ ମ୍ୟୁଜିକ୍ ଚ୍ୟାନେଲ୍ ଖୁବଶୀଘ୍ର ବନ୍ଦ ହେବାକୁ ଯାଉଛି। ପାରାମାଉଣ୍ଟ ଗ୍ଲୋବାଲ୍ ୧୨ ଅକ୍ଟୋବର ୨୦୨୫ରେ ଏହି ସମ୍ପର୍କରେ ଆଧିକାରିକ ଘୋଷଣା କରିଥିଲା। ସେହି ଚ୍ୟାନେଲ୍ଗୁଡ଼ିକ ହେଲେ — ଏମ୍ ଟିଭି ମ୍ୟୁଜିକ୍, ଏମ୍ ଟିଭି ୮୦ଏସ, ଏମ୍ ଟିଭି ୯୦ଏସ, କ୍ଲବ ଏମ୍ ଟିଭି ଏବଂ ଏମ୍ ଟିଭି ଲାଇଭ୍। ଆସନ୍ତା ୩୧ ଡିସେମ୍ବର ୨୦୨୫ ସୁଦ୍ଧା ସେମାନଙ୍କ ପ୍ରସାରଣ ସ୍ଥାୟୀ ଭାବେ ବନ୍ଦ ହେବ।
ଏହି ଚ୍ୟାନେଲ୍ଗୁଡ଼ିକ ମ୍ୟୁଜିକ୍ ଭିଡିଓ, ଲାଇଭ୍ ପରଫର୍ମାନ୍ସ ଓ ପୁରୁଣା ହିଟ୍ ସଙ୍ଗୀତ ମାଧ୍ୟମରେ ଦର୍ଶକଙ୍କ ମନ ଜିତିଥିଲା। କିନ୍ତୁ ବର୍ତ୍ତମାନ ଦର୍ଶକମାନେ ୟୁଟ୍ୟୁବ, ଟିକଟକ୍ ଓ ସ୍ପଟିଫାଏ ଭଳି ଡିଜିଟାଲ୍ ପ୍ଲାଟଫର୍ମକୁ ଅଧିକ ପସନ୍ଦ କରୁଥିବାରୁ ପାରମ୍ପରିକ ମ୍ୟୁଜିକ୍ ଟିଭିର ଲୋକପ୍ରିୟତା ହ୍ରାସ ପାଇଛି।
ସୂଚନା ମୁତାବକ, ଏବେ କେବଳ ମୁଖ୍ୟ ଏମ୍ ଟିଭି ଚ୍ୟାନେଲ୍ରେ ପ୍ରସାରଣ ଜାରି ରହିବ, ଯେଉଁଠି ମ୍ୟୁଜିକ୍ ବିଷୟବସ୍ତୁ ପ୍ରତିବର୍ଜିତ ହୋଇ ରିଆଲିଟି ଶୋ’ଗୁଡ଼ିକୁ ଅଧିକ ଗୁରୁତ୍ତ ଦିଆଯିବ। ପ୍ରଥମେ ୟୁରୋପ ଓ ଆୟର୍ଲାଣ୍ଡରେ ଏହାର ପ୍ରଭାବ ପଡ଼ିବ, ତା’ପରେ ଅଷ୍ଟ୍ରେଲିଆ, ପୋଲାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଅଷ୍ଟ୍ରିଆ, ହଙ୍ଗେରୀ ଓ ବ୍ରାଜିଲ୍ ମଧ୍ୟ ପ୍ରଭାବିତ ହେବ।
ପୂର୍ବତନ ଏମ୍ ଟିଭି ଭିଜେ ସିମୋନ ଆଞ୍ଜେଲ ଏହା ପ୍ରତି ଦୁଃଖ ପ୍ରକାଶ କରି କହିଛନ୍ତି — “ମୁଁ ପ୍ରକୃତରେ ଦୁଃଖିତ। ଏମ୍ ଟିଭି ହେଉଛି ସେହି ପ୍ଲାଟଫର୍ମ ଯେଉଁଠି ଦର୍ଶକ ମନୋରଞ୍ଜନର ସବୁ ରୂପ ଦେଖିପାରୁଥିଲେ। ଏହା ବନ୍ଦ ହେବା ଏକ ଯୁଗର ଶେଷ।”
୧୯୮୧ ମସିହାରେ ଆରମ୍ଭ ହୋଇଥିବା ଏମ୍ ଟିଭି ଦୀର୍ଘ ଚାରି ଦଶକ ଧରି ସଙ୍ଗୀତ ପ୍ରେମୀମାନଙ୍କୁ ଏକଠି କରିଥିଲା। ଯଦିଓ ଏହି ଚ୍ୟାନେଲ୍ଗୁଡ଼ିକ ବନ୍ଦ ହେବ, ତଥାପି ପାରାମାଉଣ୍ଟ+ ଷ୍ଟ୍ରିମିଂ ସେବା ଓ ସୋସିଆଲ ମିଡିଆ ମାଧ୍ୟମରେ ଏମ୍ ଟିଭି ମନୋରଞ୍ଜନ ଜାରି ରଖିବ।