ନୂଆଦିଲ୍ଲୀ: ବଲିଉଡ ଇଣ୍ଡଷ୍ଟ୍ରି ପାଇଁ ଏହି ସପ୍ତାହ ଦୁଃଖ ଓ ଶୋକର ଭାରି ହେଲା। ଗତ କିଛି ଦିନ ମଧ୍ୟରେ ତିନିଜଣ ଜଣାଶୁଣା ସେଲିବ୍ରିଟି ଆଖି ବୁଜିଦେଲେ, ଯାହା ସିନେପ୍ରେମୀମାନଙ୍କୁ ମନୋବେଦନାରେ ଭାସାଇଦେଇଛି। ହୃଦଘାତ, କ୍ୟାନ୍ସର ଓ ବୟସଜନିତ ରୋଗ — ଏହି ତିନି ଘଟଣା ବଲିଉଡରେ ଶୋକର ଛାୟା ଛାଡ଼ିଛି।

ହୃଦଘାତରେ ଗାୟକ ଋଷଭ ଟଣ୍ଡନଙ୍କ ଦେହାନ୍ତ

ଲୋକପ୍ରିୟ ଗାୟକ ଋଷଭ ଟଣ୍ଡନ ହୃଦଘାତରେ ଅକାଳରେ ପ୍ରାଣ ହରାଇଛନ୍ତି। ସେ ଦିଲ୍ଲୀସ୍ଥିତ ନିଜ ପରିବାରକୁ ଭେଟିବାକୁ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା। ଋଷଭ “ୟେ ଆଶିକି”, “ଇଶ୍କ ଫକିରାନା” ଓ “ଚାନ୍ଦ୍ ତୁ” ଭଳି ଲୋକପ୍ରିୟ ଗୀତ ମାଧ୍ୟମରେ ଫ୍ୟାନମାନଙ୍କ ହୃଦୟ ଜିତିଥିଲେ। ସେ ରୁଷର ଓଲେସିଆ ନେଡୋବେଗୋବାଙ୍କୁ ବିବାହ କରିଥିଲେ ଏବଂ କରୱା ଚୌଥରେ ଦୁହେଁଙ୍କ ଫଟୋ ତାଙ୍କ ଶେଷ ପୋଷ୍ଟ ଥିଲା। ତାଙ୍କ ହଠାତ୍ ମୃତ୍ୟୁ ସୋସିଆଲ ମିଡିଆରେ ଶୋକ ସୃଷ୍ଟି କରିଛି।

‘ମହାଭାରତ’ର କର୍ଣ୍ଣ ପଙ୍କଜ ଧୀରଙ୍କ ଦେହାନ୍ତ

୧୫ ତାରିଖରେ ବଲିଉଡ ଓ ଟିଭି ଜଗତ ହାରିଥିଲା ଅନ୍ୟ ଜଣେ ପ୍ରତିଭାଶାଳୀ ଅଭିନେତା — ପଙ୍କଜ ଧୀର। ‘ମହାଭାରତ’ ଧାରାବାହିକରେ କର୍ଣ୍ଣ ଭୂମିକାରେ ତାଙ୍କ ଅଭିନୟ ସମସ୍ତଙ୍କ ମନେ ଅବିସ୍ମରଣୀୟ ରହିଛି। ସେ ଦୀର୍ଘଦିନ ଧରି କ୍ୟାନ୍ସର ରୋଗ ସହ ଯୁଦ୍ଧ କରୁଥିଲେ ଏବଂ ଶେଷରେ ପ୍ରାଣ ହରାଇଛନ୍ତି।

କମେଡି କିଙ୍ଗ ଅସରାନିଙ୍କ ମୃତ୍ୟୁରେ ଆଉ ଏକ ଆଘାତ

ଦୀପାବଳି ପୂର୍ବ ସନ୍ଧ୍ୟାରେ ଆସିଲା ଆଉ ଏକ ଦୁଃଖଦ ଖବର — ବଲିଉଡର କମେଡି କିଙ୍ଗ ଗୋବର୍ଦ୍ଧନ ଅସରାନିଙ୍କ ଦେହାନ୍ତ। ତାଙ୍କର “ଶୋଲେ”, “ଚଳତେ ଚଳତେ” ଓ “ଚୁପ୍‌କେ ଚୁପ୍‌କେ” ଭଳି ଫିଲ୍ମର ଅଭିନୟ ସଦା ସ୍ମରଣୀୟ ରହିଛି। ତାଙ୍କ ଦେହାନ୍ତ ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରିକୁ ଶୋକାକୁଳ କରିଦେଇଛି।

ସୋସିଆଲ ମିଡିଆରେ ଶୋକ ଝଡ଼

ତିନିଜଣ ଜଣାଶୁଣା ତାରକାଙ୍କ ଏଭଳି ଦୁଃଖଦ ବିଦାୟ ପରେ ସୋସିଆଲ ମିଡିଆରେ ଫ୍ୟାନମାନେ ଶୋକ ପ୍ରକାଶ କରି ଲେଖୁଛନ୍ତି — “ବଲିଉଡକୁ ବୋଧେ ନଜର ଲାଗିଗଲା!”